ଯେପର୍ଯ୍ୟନ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ଲଢିବୁ : ପ୍ରିୟଙ୍କା ଗାନ୍ଧୀ

143

କନକ ବ୍ୟୁରୋ: “ଆମେ କଂଗ୍ରେସ କାର୍ଯ୍ୟକର୍ତ୍ତ, ଦେଶକୁ ସ୍ୱାଧୀନ କରିବାକୁ ଲଢେଇ ଲଢିଛୁ । ଆମକୁ କେହି ବି ଚୁପ୍ କରିପାରିବେ ନାହିଁ । କେହି ବି ଆମର ରାସ୍ତା ରୋକିପାରିବ ନାହିଁ । ଯେବେଠୁ ଏହି ସରକାର ଆସିଛି ସେବେଠୁ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି କି? ଯଦି ଆପଣଙ୍କ ଜବାବ ନାଁ, ତେବେ ମୋ ସହିତ ଆସନ୍ତୁ ଆଉ ପରିବର୍ତ୍ତନ ଆଣନ୍ତୁ । ଆମ ଦେଶକୁ ବଦଳାନ୍ତୁ, କାହିଁକି ନାଁ ମୁଁ ସେତେବେଳ ପର୍ଯ୍ୟନ୍ତ ସ୍ଥିର ହୋଇ ବସିବିନି, ଯେପର୍ଯ୍ୟନ୍ତ ପରିବର୍ତ୍ତନ ଆସିନି ”, ରବିବାର ବାରଣାସୀରେ କୃଷକ ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ଖାଲି ସେତିକି ନୁହେଁ, ଉତ୍ତରପ୍ରଦେଶ ଖେରୀ ହିଂସାକାଣ୍ଡ ଘଟଣାରେ ପ୍ରିୟଙ୍କା ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଜଣେ ବ୍ୟକ୍ତି ୬ ଜଣ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା କଲା । ହେଲେ ସରକାର ସେହି ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି । ସବୁ ମୃତକଙ୍କ ପରିବାର ଲୋକ କହୁଛନ୍ତି, ତାଙ୍କୁ ଟଙ୍କା କିମ୍ବା କ୍ଷତିପୂରଣ ଦରକାର ନାହିଁ ବରଂ ଦୋଷୀକୁ ଉଚିତ୍ ଦଣ୍ଡ ମିଳୁ । ହେଲେ ସରକାର କିନ୍ତୁ ତାଙ୍କୁ ସୁରକ୍ଷା ଦେଉଛନ୍ତି । ଅନ୍ୟପଟେ ସେ ଯେତେବେଳେ ଏହି ପରିବାରକୁ ଭେଟିବାକୁ ଯାଉଥିଲେ ପୋଲିସ ତାଙ୍କୁ ରୋକିଥିଲା । ଯେଉଁ ପୋଲିସ ଅପରାଧୀକୁ ଧରୁନି, ସେ ତାଙ୍କୁ ଧରିଥିଲା ବୋଲି ପ୍ରିୟଙ୍କା ଆଜି ରାଲିରେ କହିଛନ୍ତି ।

ସପେଟେ ଗତ ୯ରୁ ୧୦ ମାସ ହେଲା କୃଷକଙ୍କ ଆନ୍ଦୋଳନ ଜାରି ରଖିଛନ୍ତି । ୩ ଶହ ଦିନରୁ ଅଧିକ ଦିନ ହେଲା ଆନ୍ଦୋଳନ ଚାଲିଛି । ଯେଉଁଥିରେ ୬ ଶହରୁ ଅଧିକ କୃଷକ ଶହୀଦ ହୋଇସାରିଲେଣି । ସରକାର କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି । କୃଷି ଆଇନ ସାହାଯ୍ୟରେ ସରକାର ଚାଷୀଙ୍କ ଜମି, ଆମଦାନୀ, ଫସଲକୁ ନିଜ ଅରବପତି ସାଙ୍ଗଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

“ଦେଶ ଏବେ ଭ୍ରଷ୍ଟ ହେବାରେ ଲାଗିଛି । ଯେଉଁସବୁ ଇସ୍ତାହାର, ହୋଡିଂ ଲାଗୁଛି ତା ପଛର ସତ କଣ ସମସ୍ତେ ଜାଣିଛନ୍ତି । ପିଲାଙ୍କୁ ରୋଜଗାର ମିଳୁନି, ଗ୍ୟାସ୍ ସିଲିଣ୍ଡର ସଠିକ୍ ଦାମରେ ମିଳୁନି, ହେଲେ ଏହି ବିଷୟରେ କେହି ବି ସତ କହିବାକୁ ସାହାସ କରୁନାହାଁନ୍ତି । ଏବେ ସମୟ ଆସିଛି, ଏ ଦେଶ ବିଜେପି ପଦାଧିକାରୀ, ନେତା କିମ୍ବା ମନ୍ତ୍ରୀଙ୍କ ସମ୍ପତ୍ତି ନୁହେଁ”, କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।