କନକ ବ୍ୟୁରୋ : ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରାରେ ଏପର୍ଯ୍ୟନ୍ତ ଅନେକ ନେତା ଓ ଅଭିନେତା ସାମିଲ ହୋଇସାରିଛନ୍ତି । ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀଙ୍କୁ ରାହୁଲଙ୍କ ଏହି ଯାତ୍ରାରେ ଦେଖିବାକୁ ମିଳିନାହିଁ । କଂଗ୍ରେସ ନେତା ଜୟରାମ ରମେଶଙ୍କ ସୂଚନା ମୁତାବକ ମଧ୍ୟପ୍ରଦେଶରେ ଭାରତ ଯୋଡ ଯାତ୍ରା ପ୍ରବେଶ କରିବା ପରେ ନଭେମ୍ବର ୨୩ ରୁ ୪ ଦିନ ପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ସାମିଲ ହେବେ । ମଙ୍ଗଳବାର ଦିନ ଜୟରାମ ରମେଶ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି ।
ଜୟରାମ ରମେଶ ଲେଖିଛନ୍ତି ଭାରତ ଯୋଡ ଯାତ୍ରାରେ ଆଜି ବି ବିଶ୍ରାମର ଦିନ । ଆସନ୍ତା କାଲି ଏହି ଯାତ୍ରା ବୁରହାନପୁର ଦେଇ ମଧ୍ୟପ୍ରଦେଶରେ ପ୍ରବେଶ କରିବ । ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ଯୋଡି ହେବେ । ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରାରେ ଏପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିନଥିଲା । ସେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ଯୋଗ ଦେଇପାରି ନଥିବା କଥା କୁହାଯାଇଛି । ସେପଟେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକ ମାଣ୍ଡ୍ୟା ଠାରେ ଏହି ଯାତ୍ରାରେ ଭାଗ ନେଇଥିଲେ ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଆସନ୍ତା କାଲି ମଧ୍ୟପ୍ରଦେଶରେ ପ୍ରବେଶ କରିବ । ଏହି ଯାତ୍ରା ନେଇ ପ୍ରଥମେ ଯେଉଁ ସୂଚୀ ପ୍ରସ୍ତୁତ କରାଯାଇଥିଲା ତାହାର କିଛି ପରିବର୍ତ୍ତନ କରାଯାଇଛି । ପ୍ରଥମେ ରାହୁଲ ଗାନ୍ଧୀ ୨୭ ତାରିଖରେ ଆମ୍ବେଦକରଙ୍କ ଜନ୍ମପୀଠ ମହୁ ଯିବାର କାର୍ଯ୍ୟକ୍ରମ ଥିଲା ହେଲେ ଏବେ ସେ ୨୭ ତାରିଖରେ ସେଠାରେ ପହଂଚିବେ ।