ଭାଇଙ୍କ ଗଡ ବଂଚାଇବାକୁ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ । ବୁଥ କର୍ମକର୍ତାଙ୍କୁ ଦେଲେ ବିଜୟର ମନ୍ତ୍ର : କହିଲେ, ଦଳ ଚାହିଁଲେ ଲଢିବି ନିର୍ବାଚନ

ଭାଇଙ୍କ ଗଡ ବଂଚାଇବାକୁ ପ୍ରିୟଙ୍କାଙ୍କ ରାତିଅଧିଆ ମିଶନ

122

କନକ ବ୍ୟୁରୋ : ଭାଇଙ୍କ ଗଡ ବଂଚାଇବାକୁ ଦିନ ରାତିକୁ ଏକ କରିଦେଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧି । ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚାର କରିଛନ୍ତି ପ୍ରିୟଙ୍କା । କର୍ମୀଙ୍କ ସହ ଦଳୀୟ ସ୍ଥିତି ନେଇ ଆଲୋଚନା କରିବା ସହ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରିୟଙ୍କାଙ୍କ ରାତି ଅଧରେ ପ୍ରଚାର କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଜୋସ୍ ଭରି ଦେଇଛି । କଂଗ୍ରେସର ଗଡ କୁହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ମନ୍ତ୍ରୀ ସ୍ମୃତି ଇରାନି ଲଢ଼ୁଥିବାରୁ ଏଠି କଡା ଟକ୍କର ହେବ ବୋଲି କୁହାଯାଉଛି । ସେହିପରି କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ପୁଅ ନିର୍ବାଚନ ଲଢ଼ୁଥିବାରୁ ଏଥର ରାହୁଲଙ୍କ ପାଇଁ ଡବଲ ଚ୍ୟାଲେଞ୍ଜ ହୋଇଛି । ଏଭଳି ସ୍ଥିତିରେ ପ୍ରିୟଙ୍କା ପ୍ରଚାରର ମଙ୍ଗ ଧରିଛନ୍ତି ।

ଏହା ସହିତ ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ମଧ୍ୟ ଇସାରା କରିଛନ୍ତି । ଉତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ କହିଛନ୍ତି ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାକୁ ପାଳନ କରିବେ । ଏପରିକି ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ୟୁପି ବାହାରେ ମଧ୍ୟ ପ୍ରଚାର ଦାୟିତ୍ୱ ମିଳିଲେ ତାହା ମଧ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଦୁଇ ଦିନ ଆମେଥିରେ ପ୍ରଚାର କରିବା ପରେ ଆଜି ରାଏବରେଲି ଯିବେ ପ୍ରିୟଙ୍କା ।