ନିର୍ବାଚନ ପାଇଁ କଂଗ୍ରେସର କସରତ । ଭାଇ ରାହୁଲଙ୍କ ରାସ୍ତାରେ ପ୍ରିୟଙ୍କା, ବିଜେପି ଉପରେ ଶାଣିତ ଆକ୍ରମଣ କରୁଛନ୍ତି କଂଗ୍ରେସ ମହାସଚିବ ।  

92

କନକ ବ୍ୟୁରୋ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀଙ୍କ ପ୍ରଚାର ସଭା । ଆଉ ସଭାର କେନ୍ଦ୍ରବିନ୍ଦୁ ପାଲଟୁଛନ୍ତି ଦଳର ଶୀର୍ଷନେତା । ଅନେକ ସମୟରେ ନିର୍ବାଚନୀ ସଭାରୁ ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ହେଲେ ଏବେ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କୁ ବି ସମାନ ମୁଦ୍ରାରେ ଦେଖିବାକୁ ମିଳିଛି । ୟୁପିର ଫତେପୁର ସିକ୍ରିରେ କଂଗ୍ରେସ ପ୍ରାର୍ଥୀ ରାଜ ବବରଙ୍କ ପାଇଁ ରାହୁଲ ଓ ପ୍ରିୟଙ୍କା ପ୍ରଚାର କରିଛନ୍ତି । ସଭାମଂଚରୁ ବିଜେପି ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କା କହିଛନ୍ତି ଯଦି ବିଜେପି ଓ ଏହାର ନେତା ରାଷ୍ଟ୍ରବାଦୀ, ତାହାହେଲେ ପ୍ରଚାର ବେଳେ ପାକିସ୍ତାନ କଥା ନକହି ଭାରତର ଯୁବକ, ଚାଷୀ, ମହିଳା ଓ ଗରିବଙ୍କ ପାଇଁ କଣ ଯୋଜନା କରିଛନ୍ତି ସେ ବାବଦରେ କୁହନ୍ତୁ ।

କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ କେଉଁ ପ୍ରସଙ୍ଗରେ ବିଜେପି ଓ ମୋଦି ସରକାରଙ୍କୁ ଘେରିବ ତାହା ସ୍ପଷ୍ଟ କରିଦେଇଥିଲା । ତେଣୁ ଚାଷୀ, ବେରୋଜଗାର, ମହିଳା ସୁରକ୍ଷା ଓ ଗରିବୀ ପ୍ରସଙ୍ଗରେ ମୋଦି ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଛନ୍ତି ଉଭୟ ପ୍ରିୟଙ୍କା ଓ ରାହୁଲ । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ବିଜେପି ପରି କଂଗ୍ରେସ ମିଥ୍ୟା ପ୍ରଚାର କରେନାହିଁ । ତେଣୁ କ୍ଷମତାକୁ ଆସିବାର ପ୍ରଥମ ଦିନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ପଦକ୍ଷେପ ନେବ କଂଗ୍ରେସ । ଦେଶର ୨୦ ପ୍ରତିଶତ ଗରିବଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ପ୍ରଦାନ କରାଯିବ । ଏଥିପାଇଁ ସେ ଅର୍ଥନୀତିଜ୍ଞ ମାନଙ୍କ ସହ ବିସ୍ତୃତ ବିଚାର ବିମର୍ଷ କରିଛନ୍ତି ।

ୟୁପିରେ କଂଗ୍ରେସ ଅଧ୍ୟକ୍ଷ ରାଜ ବବରଙ୍କ ପାଇଁ ପ୍ରଚାର କରିଥିଲେ ଉଭୟ ରାହୁଲ ଓ ପ୍ରିୟଙ୍କା । ଫତେପୁର ସିକ୍ରି ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢୁଛନ୍ତି ରାଜ ବବର । ସମାନ ଢଙ୍ଗରେ ଆସାମର ସିଲଚରରେ ଗତ ରବିବାର ଦଳୀୟ ପ୍ରାର୍ଥୀ ସୁସ୍ମିତା ଦେବଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ଦଳର ଷ୍ଟାର ପ୍ରଚାରକ ପ୍ରିୟଙ୍କା ଗାନ୍ଧି । ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ସୁସ୍ମିତା ଦେବଙ୍କ ପାଇଁ ପ୍ରଚାର କରିବାକୁ ପ୍ରଥମଥର ନିଜ କାର୍ଯ୍ୟକ୍ଷେତ୍ର ବାହାରକୁ ବାହାରିଥିଲେ ପୂର୍ବ ୟୁପି ପ୍ରଭାରୀ । ମେଗା ରୋଡ ସୋ କରି କହିଥିଲେ ଯେ, ରାଜନୀତି ପ୍ରତି ସୁସ୍ମିତାଙ୍କ ନିଷ୍ଠା ଓ ସମାଜ ପ୍ରତି ପ୍ରତିବଦ୍ଧତା ତାଙ୍କୁ ଇନ୍ଦିରା ଗାନ୍ଧିଙ୍କ ସହ ସମାନ କରିପାରିଛି ।

କଂଗ୍ରେସକୁ ଔପଚାରିକ ଭାବେ ପ୍ରବେଶ କରିବା ପରେ ଭାଇଙ୍କ ସହ ଲକ୍ଷେ୍ନøରେ ବିଶାଳ ରୋଡ ସୋ କରିଥିଲେ ପ୍ରିୟଙ୍କା । ଏହାପରେ ଆମେଠିରେ ମଧ୍ୟ ତାଙ୍କୁ ଭାଇଙ୍କ ସହ ଦେଖିବାକୁ ମିଳିଥିଲା । ସୁସଜ୍ଜିତ ଟ୍ରକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଭଉଣୀ ତଥା କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଡ୍ରା, ତାଙ୍କ ସ୍ୱାମୀ ରବର୍ଟ ଭଡ୍ରାଙ୍କ ସହ ପୁଅ ରେହାନ୍ ଓ ଝିଅ ମିରାୟା । ନିଜ ପାରମ୍ପରିକ ଆସନ ୟୁପିର ଆମେଠିରେ ରାହୁଲ ନାମାଙ୍କନ ଭରିବାକୁ ଗଲାବେଳେ ନଜର ଆସିଲେ ପୁରା ପରିବାର । ବିଶାଳ ରୋଡ ସୋ କରି ଆମେଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ କଂଗ୍ରେସ ଅଧ୍ୟକ୍ଷ । ଖୋଲା ଟ୍ରକରେ ଗାନ୍ଧି ପରିବାର ଗଲାବେଳେ ସାଙ୍ଗରେ ଚାଲିଚାଲି ଯାଇଥିଲେ ହଜାର ହଜାର ସମର୍ଥକ । ପୁରା ପରିବାରର ଉପସ୍ଥିତିରେ ଚତୁର୍ଥଥର ପାଇଁ ଆମେଠି ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରି ପ୍ରତିପକ୍ଷଙ୍କୁ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲେ ରାହୁଲ ଗାନ୍ଧି ।