ମୋ ଭାଇ ନା କେବେ ଡରିଛନ୍ତି, ନା କେବେ ଡରିବେ । ଭାଇ ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି କହିଲେ ଭଉଣୀ ପ୍ରିୟଙ୍କା ।

326

କନକ ବ୍ୟୁରୋ : ମୋଦୀ ସରନେମକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବୟାନ ବିରୋଧରେ ହୋଇଥିବା ମାନହାନି ମୋକଦ୍ଦମାରେ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ତେବେ ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଛି । ଆଉ ଏସବୁ ଭିତରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା କହିଛନ୍ତି, ସାମ, ଦାମ, ଦଣ୍ଡ, ଭେଦ ଲଗାଇ ରାହୁଲଙ୍କ ସ୍ୱରକୁ ଚାପିବାକୁ ଡରିଯାଇଥିବା କ୍ଷମତାକେନ୍ଦ୍ର ଚେଷ୍ଟା କରୁଛନ୍ତି । କିନ୍ତୁ ମୋ ଭାଇ ନା କେବେ ଡରିଛନ୍ତି ନା କେବେ ଡରିବେ । ସତ କହିକି ବଞ୍ଚିଛନ୍ତି, ଆଗକୁ ମଧ୍ୟ ସତ କହିବେ । ଦେଶବାସୀଙ୍କ ପାଇଁ ସ୍ୱର ଉଠାଇବେ । ଦେଶବାସୀଙ୍କ ଭଲପାଇବା ଏବେ ବି ରାହୁଲଙ୍କ ସାଥୀରେ ଅଛି ।

ସେହିଭଳି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଟ୍ୱିଟ କରିବା ସହ କହିଛନ୍ତି, ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ ଓ ଅହିଂସା ଏହାକୁ ପାଇବାର ସାଧନ । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନେ ଖଡଗେ କହିଛନ୍ତି, ଆମକୁ ଏହା ଜଣାଇଥିଲା । କାରଣ ବିଚାରପତିଙ୍କୁ ବଦଳି କରାଯାଇଥିଲା । କିନ୍ତୁ ଆମେ ଆଇନ ଉପରେ ବିଶ୍ୱାସ ରଖିବା ଲୋକ । ଆଇନ ଅନୁଯାୟୀ ହିଁ ଲଢେଇ କରିବୁ ।

୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆକୁ ନେଇ ଟପ୍ପଣୀ କରିଥିଲେ । ରାହୁଲ କହିଥିଲେ, ସମସ୍ତ ଚୋରଙ୍କ ସରନେମ ମୋଦୀ କାହିଁକି? ଆଉ ଏହି ବୟାନ ପାଇଁ ବିଜେପି ବିଧାୟକ ରାହୁଲଙ୍କ ନାଁରେ ମାନହାନି ମୋକଦ୍ଦମା ରୁଜୁ କରୁଥିଲେ । ଯାହାର ଶୁଣାଣି କରି କୋର୍ଟ ରାହୁଲଙ୍କୁ ଦୋଷୀ କରିବା ସହ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି ।