ପାଖଉଛି ନିର୍ବାଚନ, ପଛରେ ନାହିଁ କଂଗ୍ରେସ । ଖଡ଼ଗେ ଓ ରାହୁଲଙ୍କ ପରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ଏପଟେ ଟିକେଟ ପାଇଁ ଅନଲାଇନ ଆବେଦନର ଚାଲିଛି ଯାଞ୍ଚ ।

135

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜାତୀୟସ୍ତରର ନେତାଙ୍କ ଆକର୍ଷଣ, ଓଡ଼ିଶା ପ୍ରତି ସେତିକି ବଢ଼ିବାରେ ଲାଗିଛି । କେବଳ କେନ୍ଦ୍ରୀୟ ବିଜେପି ନେତା କାହିଁକି, କଂଗ୍ରେସ ନେତା ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ି ନାହାଁନ୍ତି ।

  • ନିର୍ବାଚନ ଆସୁଛି, ବଡ଼ ବଡ଼ ନେତା ଆସିବେ!
  • ଫୋକସରେ ଓଡ଼ିଶା, ପଛରେ ନାହିଁ କଂଗ୍ରେସ

ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ, ମଲ୍ଲିକାର୍ଜ୍ଜୁନ ଖଡଗେ ପରେ ସାଂସଦ ରାହୁଲ ଗାନ୍ଧୀ ଆଉ ଆଗକୁ ଆସିବେ ପ୍ରିୟଙ୍କା ଗାନ୍ଧୀ । ଓଡ଼ିଶା ବଞ୍ଚାଓ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକା ମଲ୍ଲିକାର୍ଜ୍ଜୁନ ଖଡଗେ ୨୪ ଲଢ଼େଇ ପାଇଁ ରଣହୁଙ୍କାର ଦେଇଥିବା ବେଳେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଉଭୟ ନେତାଙ୍କ ଲକ୍ଷ୍ୟ ଓ ଆହ୍ୱାନ ଥିଲା ଏକ୍ ।

ଆଉ ଏହାରି ଭିତରେ ଓଡ଼ିଶା ଆସୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ଯଦିଓ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ନେଇ ବିଧିବଦ୍ଧ ସୂଚନା ଆସି ନାହିଁ, ତଥାପି ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକାଧିକ ଜାତୀୟ ସ୍ତରର ନେତା ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ।

ଏପଟେ ନିର୍ବାଚନ ପ୍ରସ୍ତୁତି ପାଇଁ ଦୁଇ ପାଦ ଆଗରେ ଓଡ଼ିଶା କଂଗ୍ରେସ । ଦଳୀୟ ସୂଚନା ଅନୁସାରେ- ୧୪୭ ବିଧାନସଭା ଆସନ ପାଇଁ ପ୍ରାୟ ୩ ହଜାର ବିଧାୟକ ପ୍ରାର୍ଥୀ ଆବେଦନ କରିଛନ୍ତି । ସେହିପରି ୨୧ ଲୋକସଭା ଆସନ ପାଇଁ ୭ଶହ ସାଂସଦ ପ୍ରାର୍ଥୀ ଆବେଦନ କରିଛନ୍ତି । ଆବେଦନ ଗୁଡ଼ିକର ବର୍ତ୍ତମାନ ଯାଞ୍ଚ ଚାଲିଛି । ଯାଞ୍ଚ ପରେ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହେବ । ତେବେ ଆଗକୁ ଅନ୍ୟଦଳର ବହୁ ନେତା ଓ କର୍ମୀ ଆସି କଂଗ୍ରେସରେ ଯୋଗଦେବେ ବୋଲି ଦାବି କରିଛି କଂଗ୍ରେସ ।

ତେବେ ବିଜେପିର କେନ୍ଦ୍ରୀୟ ସ୍ତରର ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଭିତରେ କଂଗ୍ରେସ ମଧ୍ୟ ମୋଦୀ ବାହିନୀଙ୍କୁ ଟକ୍କର ଦେବା ପାଇଁ ଜାତୀୟ ସ୍ତରୀର କଂଗ୍ରେସ ନେତାଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ଖସଡ଼ା ପ୍ରସ୍ତୁତ କରି ସାରିଛି ।