ଉତ୍ତରପ୍ରଦେଶରେ ବଳ କସୁଛି କଂଗ୍ରେସ । ମହିଳା ଚାଷୀଙ୍କ ସହ ସମୟ କାଟିଲେ ପ୍ରିୟଙ୍କା ଗାନ୍ଧୀ, କ୍ଷେତରେ ବସି ମହିଳାଙ୍କ ସହ ଖାଇଲେ ଶାଗ ଆଉ ରୁଟି । 

139

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ତେଜୁଛି ରାଜନୀତି । ବଳ କସୁଛି କଂଗ୍ରେସ । ଦଳର ମଙ୍ଗ ଧରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ବିଲକୁ ଯାଇ ମହିଳା ଚାଷୀଙ୍କ ସହ ତଳେ ବସିକି ସେମାନଙ୍କ ହାତ ରନ୍ଧା ଖାଦ୍ୟ ଖାଇଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଦେଶର ସମୃଦ୍ଧିରେ ମହିଳାଙ୍କ ଯୋଗଦାନ ଅତୁଳନୀୟ । ଏହାସହ ୟୁପିରେ କଂଗ୍ରେସ ସରକାରକୁ ଆସିଲେ ବାଳିକା ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ ଏବଂ ଗ୍ରାଜୁଏଟ୍ ଝିଅଙ୍କୁ ସ୍କୁଟି ଦେବାକୁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହାଛଡା ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ ୨୫ହଜାର ପର୍ଯ୍ୟନ୍ତ ବାର୍ଷିକ କୃଷି ଋଣ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହାସଚିବ ।

ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଏହାକୁ ନେଇ ୟୁପିରେ ତେଜିବାରେ ଲାଗିଛି ରାଜନୀତି । ସବୁ ରାଜନୈତିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ ଆରମ୍ଭ କରିଦେଲେଣି । ଏହାରି ଭିତରେ କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ କ୍ଷେତରେ କାମ କରୁଥିବା ମହିଳା ଶ୍ରମିକଙ୍କୁ ଭେଟି ତାଙ୍କ ସହ ସମୟ ବିତାଇଥିବା ଦେଖିବାକୁ ମିଳିଛି । ଆଉ ବିଲରେ କାମ କରୁଥିବା ମହିଳାମାନେ ପ୍ରିୟଙ୍କାଙ୍କୁ ଅତି ନିକଟରେ ପାଇ ବେଶ ଖୁସି ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ମହିଳା ମାନେ ଦେଶର ଶାସନଭାର ତୁଲାଇବାକୁ ପୁରା ସମର୍ଥ ।

ଦେଶରେ ଏବେ କୃଷି ଆଇନକୁ ନେଇ ଚାଷୀମାନେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହାରି ଭିତରେ ଲକ୍ଷିମପୁର ଖେରି ଘଟଣାରେ ମଧ୍ୟ କୃଷକଙ୍କ ଉପରେ ଗାଡି ଚଢାଇବା ଭାରି ପଡିଛି ଭାଜପାକୁ । ତେବେ ଏହାର ବିରୋଧରେ ପ୍ରିୟଙ୍କା ଲଗାତାର ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନକୁ ନେଇ ପ୍ରିୟଙ୍କା ଆରମ୍ଭ କରିଛନ୍ତି ପ୍ରତିଜ୍ଞା ଯାତ୍ରା । ଶୁକ୍ରବାର ପ୍ରିୟଙ୍କା ବାରାବାଙ୍କିରୁ ପ୍ରତିଜ୍ଞା ଯାତ୍ରାର ଆରମ୍ଭ କରିଛନ୍ତି ।

ଏହା ସହିତ ପ୍ରିୟଙ୍କା ୟୁପି ଚାଷୀଙ୍କ ପାଇଁ ରାଜନୀତି କାର୍ଡ ଖେଳିଛନ୍ତି । ୟୁପିରେ କଂଗ୍ରେସ ସରକାରକୁ ଆସିଲେ ଚାଷୀଙ୍କ ଋଣଭାର ଛାଡ ହେବା ସହ ୨୦ ଲକ୍ଷ ସରକାରୀ ଚାକିରୀ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । ୟୁପିରେ ଲଗାତାର ଭାବେ କଂଗ୍ରେସ ମହିଳା ଓ ଚାଷୀଙ୍କ ଉପରେ ନିଜର ସବୁ ଧ୍ୟାନ ପ୍ରୟୋଗ କରିଛନ୍ତି । ଦେଖିବାକୁ ବାକି ରହିଲା ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ କରୁଛି ନା ଆଉ କୌଣସି ରାଜନୈତିକ ଦଳ ଏହି ଗଡ ଦଖଲ କରୁଛି ।