ପ୍ରଧାନମନ୍ତ୍ରୀଙ୍କ ବ୍ଲଗର ଜବାବ ରଖିଲେ ପ୍ରିୟଙ୍କା ! କହିଲେ ଯେତେ ପ୍ରତାଡିତ କରିବେ ସେତେ ମଜବୁତ ହେବ ଦଳ, ଜନତାଙ୍କୁ ମୁର୍ଖ ଭାବିବା ବନ୍ଦ କରନ୍ତୁ ମୋଦି । 

199

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲଗ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ବଂଶବାଦ ରାଜନୀତି କରୁଥିବା ମୋଦି କହିଛନ୍ତି । ଅପରପକ୍ଷରେ ଲୋକଙ୍କୁ ବୋକା ଭାବିବା ଛାଡନ୍ତୁ ମୋଦି ଜବାବ ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ତାଙ୍କୁ ଯେତିକି ମାନସିକ ଆଘାତ ଦିଆଗଲେ ମଧ୍ୟ ସେ ଡରିବେ ନାହିଁ ବରଂ ସେତିକି ଅଧିକ ବେଗରେ ଲଢେଇ କରିବେ ବୋଲି ପ୍ରିୟଙ୍କା କହିଛନ୍ତି ।

କଂଗ୍ରେସ ଓ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ୍ । ବଂଶବାଦ, ଲୋକତନ୍ତ୍ର ଓ ସଂସଦ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ହାମଲା କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ବ୍ଲଗରେ ମୋଦି ଲେଖିଛନ୍ତି ଯେ, କଂଗ୍ରେସ ବଂଶବାଦ ରାଜନୀତି କରୁଛି । ବଂଶବାଦ ରାଜନୀତି ଯୋଗୁଁ ଦେଶର ବିଭିନ୍ନ ସଂସ୍ଥାକୁ ଅଧିକ କ୍ଷତି ସହିବାକୁ ପଡୁଛି । ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରି ବଂଶବାଦର ରକ୍ଷା ପାଇଁ କଂଗ୍ରେସ କେତେ ଦୂର ପର୍ଯ୍ୟନ୍ତ ଯାଇପାରେ ତାର ପ୍ରମାଣ ମିଳିସାରିଛି ।

କଂଗ୍ରେସ ଶାସନ ସମୟରେ ସଂସଦ, ସମ୍ବିଧାନ, ସରକାରୀ ସଂସ୍ଥା ଓ ଗଣମାଧ୍ୟମର ଅପବ୍ୟବହାର କରାଯାଇଛି । ଯେତେବେଳେ କୌଣସି ସରକାର ପରିବାର ପ୍ରଥମେ ପରିବର୍ତ୍ତେ ଭାରତ ପ୍ରଥମେ ବୋଲି ଭାବି କାମ କରିଚାଲିଥାଏ ସେତେବେଳେ ତାର ଏହି ଭାବନା କାମରେ ବି ଦେଖିବାକୁ ମିଳିଥାଏ । ୨୦୧୪ର ଜନାଦେଶ ଐତିହାସିକ ଥିଲା । ଆମ ସରକାର ନୀତି ଓ କାର୍ଯ୍ୟକାଳ ଯୋଗୁଁ ଗତ ୫ବର୍ଷରେ, ଭାରତ ବିଶ୍ୱର ଅର୍ଥବ୍ୟବସ୍ଥାର ଶୀର୍ଷରେ ପହଁଚିପାରିଛି ।

ସେପଟେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମୋଦିଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ମୋଦି ତାଙ୍କ ବ୍ଲଗରେ ସମାଲୋଚନା କରି ଗାନ୍ଧୀ ପରିବାର ଉପରେ ହାମଲା କରିଥିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ପ୍ରିୟଙ୍କା । ତାଙ୍କୁ ଯେତିକି ନିନ୍ଦା କରାଯାଏ ଓ ମାନସିକ ଆଘାତ ଦିଆଗଲେ ମଧ୍ୟ ସେ ଡରିବେ ନାହିଁ ବରଂ ସେତିକି ଅଧିକ ବେଗରେ ଲଢେଇ କରିବେ ବୋଲି ପ୍ରିୟଙ୍କା କହିଛନ୍ତି । କେବଳ ସେତିକି ନୁହେଁ, ପ୍ରିୟଙ୍କା ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜନତାଙ୍କୁ ମୁର୍ଖ ଭାବିବା ବନ୍ଦ କରନ୍ତୁ । ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଆରୋପ ପ୍ରତ୍ୟାରୋପ ରାଜନୀତି ସେତିକି ଜୋର୍ ଧରିଛି ।