ଯୋଗୀଙ୍କ ଗଡରେ ପ୍ରିୟଙ୍କାଙ୍କ ରଣହୁଙ୍କାର । ଯୋଗୀ ଓ ମୋଦୀଙ୍କୁ ନେଇ କହିଲେ ଏଭଳି କଥା

288

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ କଂଗ୍ରେସକୁ ତାର ପୂର୍ବ ସ୍ଥିତି ଫେରାଇ ଆଣିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୁରା ଦମରେ ଲାଗି ପଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁରରେ ଏକ ବିଶାଳ ରାଲି କରି ପ୍ରିୟଙ୍କା ଯୋଗୀ ଓ ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଗୋରଖପୁରରେ ଏକ ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି କି ଯୋଗୀ ଆଦିତ୍ୟନାଥ ଗୋରଖନାଥଙ୍କ ବିଚାରର ବିପରିତ ଦିଗରେ କାମ କରୁଛନ୍ତି । ସେ କହିଥିଲେ କି ବରୋଧୀ କହୁଛନ୍ତି ଯେ କଂଗ୍ରେସ ବିଜେପିର ଅନ୍ୟ ଏକ ଟିମ୍ , ହେଲେ ମୁଁ ମରିଯିବି ପଛେ ବିଜେପି ସହ କେବେ ବି ମେଣ୍ଟ କରିବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରି ପ୍ରିୟଙ୍କା କହିଥିଲେ କି “ମୁଁ ଦୁଇବର୍ଷ ହେବ ୟୁପିର ଅନେକ ସ୍ଥାନ ବୁଲିସାରିଛି । ଏ ହେଉଛି ଆସ୍ଥାର ଦେଶ, ଏଠାରେ ଆମେମାନେ ଧରିତ୍ରୀ , ଧର୍ମ ଓ ନେତାଙ୍କ ଉପରେ ଆସ୍ଥା ରଖିଥାଉ । ହେଲେ ଏଠାରେ ଶାସକଙ୍କ ଉପରେ ଆସ୍ଥା ରଖି ଲୋକମାନେ ଭୁଲ କରିଛନ୍ତି” ।

ଅନ୍ୟପଟେ ପ୍ରିୟଙ୍କା ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି “ଶାହା କହୁଛନ୍ତି ଏବେ ୟୁପିରେ ଅପରାଧୀଙ୍କୁ ଖୋଜିବାକୁ ଦୂରବିକ୍ଷଣ ଯନ୍ତ୍ରର ଆବଶ୍ୟକ ପଡୁଛି , ହେଲେ ସେ ଏକଥା ଯେତେବେଳେ କହୁଥିଲେ ସେତେବେଳେ ତାଙ୍କ ପାଖରେ ଅଜୟ ମିଶ୍ରା ଠିଆ ହୋଇଥିଲେ । ଅଜୟ ମିଶ୍ରାଙ୍କ ପ୍ରୁଅ ଗାଡି ଚଢାଇ କୃଷକଙ୍କୁ ହତ୍ୟା କରିବା ବୋଧେ ଶାହାଙ୍କ ଆଖିରେ ଅପରାଧ ନୁହେଁ”

କହିରଖୁ କି ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଶୃତି ପତ୍ର ଘୋଷଣା କରିସାରିଛନ୍ତି । ରାଜ୍ୟ ନିର୍ବାଚନରେ ୪୦ ପ୍ରତିଶତ ଟିକେଟ ମହିଳାଙ୍କୁ ଦିଆଯିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କୁ ସ୍କୁଟି ଓ ଫୋନ ଦେବାକୁ ଘୋଷଣା କରିଛନ୍ତି । ସବୁଠାରୁ ବଡ କଥା ପ୍ରିୟଙ୍କା ମହିଳାମାନଙ୍କୁ ନେଇ ଯେଉଁ ନାରା ଦେଇଛନ୍ତି (ମେଁ ଲେଡକି ହୁଁ ଲଡଶକ୍ତି ହୁଁ) ଏବେ ୟୁପିରେ ବେସ୍ ଲୋକପ୍ରିୟ ହୋଇଛି । ଏହାର ପ୍ରତିଫଳନ ସ୍ୱରୂପ ଆଜି ଗୋରଖପୁର ଠାରେ ଲକ୍ଷ ଲକ୍ଷ ମହିଳା ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି ।