ୱାୟନାଡରୁ ନାମାଙ୍କନ ଭରିଲେ ରାହୁଲ ! ରୋଡ୍ ସୋ’ ପରେ ମୋଦିଙ୍କୁ କଲେ ଟାର୍ଗେଟ୍ । ସେପଟେ ପ୍ରିୟଙ୍କା କହିଲେ, ସବୁଠୁ ସାହସୀ ରାହୁଲ ।

111

କନକ ବ୍ୟୁରୋ : ଦ୍ୱିତୀୟ ଆସନ ଲାଗି କେରଳର ୱାୟନାଡରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ  । ଏହାସହ ଦକ୍ଷିଣରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ  । ୱାୟନାଡରୁ ପ୍ରାର୍ଥୀପତ୍ର ଦାଖଲ ବେଳେ ସାଂଗରେ ଥିଲେ ଭଉଣୀ ପ୍ରିୟଙ୍କା  । ୨ କିଲୋମିଟର ଧରି ମେଗା ରୋଡ ସୋ କରିଥିଲେ ରାହୁଲ ଗାନ୍ଧୀ । ମିଶନ ଦକ୍ଷିଣରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଏଥିପାଇଁ ୱାୟନାଡରେ ନାମାଙ୍କନ ଦାଖଲ କରିଛନ୍ତି ରାହୁଲ । କେରଳରେ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପହଂଚିଥିଲେ ରାହୁଲ । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ବିରାଟ ରୋଡ ସୋରେ ଶକ୍ତି ପ୍ରଦର୍ଶନ କରିଛନ୍ତି ରାହୁଲ ଗାନ୍ଧୀ ଓ ପ୍ର୍ରିୟଙ୍କା ଗାନ୍ଧୀ ଭଦ୍ରା । ନାମାଙ୍କନ ଦାଖଲ ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଏବଂ କହିଛନ୍ତି ଯେ, ଦେଶବାସୀ କେରଳବାସୀଙ୍କ ସହ ଅଛନ୍ତି ବୋଲି ସନ୍ଦେଶ ଦେବା ପାଇଁ ସେ କେରଳ ଆସିଛନ୍ତି । ପ୍ରଧାନମନ୍ତ୍ରୀ, ସଂଘ ଓ ବିଜେପି ବିଚାରଧାରା ଦକ୍ଷିଣ ବିରୋଧୀ । ତେବେ ସେ ଉତ୍ତରରୁ ବି ଲଢିବେ ଏବଂ ଦକ୍ଷିଣରୁ ବି ଲଢିବେ ବୋଲି ରାହୁଲ କହିଛନ୍ତି ।

ଆଜି ୱାୟନାଡରେ ରାହୁଲ ୨ କିଲୋମିଟର ବ୍ୟାପୀ ରୋଡ ସୋ କରିଛନ୍ତି । ରୋଡ ସୋ ଓ ନାମାଙ୍କନ ଦାଖଲ ବେଳେ ତାଙ୍କ ପାଖରେ ନଜର ଆସିଥିଲେ ଭଉଣୀ ପ୍ରିୟଙ୍କା । ଏହାପରେ ପ୍ରିୟଙ୍କା ଟ୍ୱିଟ୍ କରି ଲେଖିଛନ୍ତି ଯେ ରାହୁଲ ତାଙ୍କର ଭାଇ, ତାଙ୍କର ସବୁଠୁ ଭଲ ବନ୍ଧୁ ଏବଂ ସେ ଜାଣିଥିବା ସବୁଠୁ ସାହସୀ ମଣିଷ  । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୱାୟନାଡ ରାହୁଲଙ୍କ ଧ୍ୟାନ ରଖୁ ଏବଂ ସେ ୱାୟନାଡକୁ କେବେହେଲେ ନିରାଶ କରିବେ ନାହିଁ ।

ଚଳିତ ନିର୍ବାଚନରେ ରାହୁଲ ଉତ୍ତରପ୍ରଦେଶର ଆମେଠି ସହ କେରଳର ୱାୟନାଡରୁ ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି । ଆମେଠି ଓ ୱାୟନାଡ ଦୁଇଟି ଯାକ ହେଉଛି କଂଗ୍ରେସର ଗଡ । ଏବେ ୱାୟନାଡରୁ ରାହୁଲ ନିର୍ବାଚନ ଲଢିବା ପରେ ଏବେ ୱାୟନାଡର ପରିଚୟ ମଧ୍ୟ ବଦଳିଯାଇଛି । ଏବଂ ଏହା ଏବେ ଭିଭିଆଇ ସଂସଦୀୟ କ୍ଷେତ୍ରରେ ପରିଣତ ହୋଇଛି । ସାରା ଦେଶର ନଜର ଏବେ ଏହି ସଂସଦୀୟ କ୍ଷେତ୍ର ଉପରେ ରହିଛି । ଆମେଠିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ରାହୁଲଙ୍କ ଟକ୍କର ହେବ । ସେହିପରି ୱାୟନାଡରେ ରାହୁଲ ବିରୋଧରେ ନିର୍ବାଚନୀ ମୈଦାନରେ ଅଛନ୍ତି  ବିଜେପିର ସହଯୋଗୀ ଦଳ ଭାରତ ଧର୍ମ ଜନ ସେନା ଅଧ୍ୟକ୍ଷ ତୁଷାର ଭେଲାପଲ୍ଲି ।

ଗତ ଥର ୱାୟନାଡ ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କୁ ୪୧.୨୧ ପ୍ରତିଶତ ଭୋଟ୍ ମିଳିଥିଲା । ସେହିପରି ବିଜେପିକୁ ପ୍ରାୟ ୯ ପ୍ରତିଶତ ଓ ସିପିଆଇକୁ ୩୯ ପ୍ରତିଶତ ଭୋଟ୍ ମିିଳିଥିଲା । କଂଗ୍ରେସ ପ୍ରାର୍ଥୀ ୨୦,୮୭୦ ଭୋଟରେ ଜିତିଥିଲେ । କଂଗ୍ରେସ ନେତୃତ୍ୱ ପ୍ରଥମ ଥର ପାଇଁ ଦକ୍ଷିଣ ମୁହାଁ ହୋଇନାହିଁ । ଏହା ପୂର୍ବରୁ ୧୯୭୮ରେ ଇନ୍ଦିରା ଗାନ୍ଧୀ କର୍ଣ୍ଣାଟକର ଚିକମଙ୍ଗଲୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ସେହିପରି ସୋନିଆ ଗାନ୍ଧୀ ୧୯୯୯ରେ କର୍ଣ୍ଣାଟକର ବଲେରୀ ଆସନରୁ ବିଜୟୀ ହୋଇଥିଲେ । ଏବେ ଇନ୍ଦିରା ଓ ସୋନିଆଙ୍କ ପରି ଦକ୍ଷିଣ ମୁହାଁ ହୋଇଛନ୍ତି ରାହୁଲ ।