ମୋଦିଙ୍କୁ ପ୍ରିୟଙ୍କା ଗାନ୍ଧି କଲେ ସମାଲୋଚନା ! କହିଲେ, ପାକିସ୍ତାନରେ ବିରିୟାନି ଖାଆନ୍ତି, ଜାପାନରେ ଢୋଲ ପିଟନ୍ତି, ହେଲେ ଲୋକଙ୍କ ସମସ୍ୟା ବୁଝନ୍ତି ନାହିଁ

ମୋଦିଙ୍କୁ ପ୍ରିୟଙ୍କା ଗାନ୍ଧି କଲେ ସମାଲୋଚନା !

313

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ କଂଗ୍ରେସର ଦାୟିତ୍ୱ ମୁଣ୍ଡାଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପୁଣି ଥରେ ତାଙ୍କର ଶାଣିତ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଜଣେ ଭଲଲୋକ। ସେ ଜାପାନରେ ଭଲ ଢ଼ୋଲ ବଜାଇ ପାରନ୍ତି! ପାକିସ୍ତାନରେ ବିରିୟାନିର ମଜା ନେଇ ପାରନ୍ତି! ହେଲେ, ବିଡ଼ମ୍ବନା ଆମ ଦେଶର ଦେଶବାସୀଙ୍କ ସହ ସେ ନିଜକୁ ସାମିଲ କରାଇ ପାରନ୍ତି ନାହିଁ।

କିମ୍ବା ଦେଶ ଓ ଦେଶବାସୀଙ୍କ ସମସ୍ୟାକୁ ବୁଝି ପାରନ୍ତି ନାହିଁ। ଭାରତ ଭୂଇଁରେ ରହିବାକୁ ପସନ୍ଦ ନକରି ସର୍ବଦା ବିଦେଶରେ ବୁଲୁଥିବା ପ୍ରଧାନମନ୍ତ୍ରୀ ମୋଦି ସେଥିପାଇଁ ଦେଶବାସୀଙ୍କର ଅସଲ ଓ ମୁଖ୍ୟ ସମସ୍ୟା କ’ଣ ତାହା ଜାଣିପାରନ୍ତି ନାହିଁ କିମ୍ବା ବୁଝିବାକୁ ସୁଦ୍ଧା ଚେଷ୍ଟା ମଧ୍ୟ କରନ୍ତି ନାହିଁ’, ବୋଲି କହିଛନ୍ତି ପ୍ରିୟଙ୍କା।

ଏତିକିରେ ଅଟକି ଯାଇ ନାହାନ୍ତି ପ୍ରିୟଙ୍କା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କହିଥିବା କଥାକୁ ଭୁଲି ଯାଆନ୍ତି। ୨୦୧୪ରେ ଦେଶବୀସୀଙ୍କୁ କହିଥିଲେ ୨କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। ସବୁ ଚାଷୀଙ୍କ କ୍ଷେତକୁ ପାଣି ଦେବେ। ହେଲେ, ଏସବୁ ତ ପୂରଣ କରି ପାରିଲେ ନାହିଁ; ବରଂ ଦିନେ କେବେ ଦେଶବାସୀଙ୍କୁ ଏପରି ପ୍ରତିଶ୍ରୁତି ଦେଇଥିଲେ, ସେ କଥାକୁ ମଧ୍ୟ ଏବେ ସେ ଭୁଲି ସାରିଛନ୍ତି। ସେଥିପାଇଁ ଲୋକ ଦେଖାଣିଆ ଦେଶପ୍ରେମ ସହ ସେନାକୁ ଢ଼ାଲ କରି ନିର୍ବାଚନ ଜିତି ଯିବାକୁ ସେ ସବୁ କଳ, ବଳ ଓ କୌଶଳ ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା।

Comments are closed.