କନକ ବ୍ୟୁରୋ: ପ୍ରିୟଙ୍କା ଚୋପ୍ରାଙ୍କ ବିରୋଧରେ ବଡ ଅଭିଯୋଗ। ‘ମିସ୍ ୱାର୍ଲ୍ଡ’ ଜିତିବାରେ ହୋଇଥିଲା ଫିକ୍ସିଂ ।ଏଭଳି ଅଭିଯୋଗ ଆଣିଛନ୍ତି ୨୦୦୦ ବର୍ଷର ‘ମିସ୍ ୱାର୍ଲ୍ଡ’ ର ଅନ୍ୟତମ ପ୍ରତିଯୋଗୀ ତଥା ମିସ୍ ବାରବାଡୋସ୍ ଲିଲାନୀ ମେକକୌନେ । ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ସଫଳ ୟୁଟ୍ୟୁବର ଭାବେ ସକ୍ରିୟ ଥିବା ଲିଲାନୀ ପ୍ରିୟଙ୍କାଙ୍କ ବିରୋଧରେ ଯାହା ଅଭିଯୋଗ ବାଢିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନେକ ୟୁଜର୍ସ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Advertisment

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଗ୍ଲୋବାଲ ଷ୍ଟାର ଭାବେ ଖ୍ୟାତି ଅର୍ଜନ କରିସାରିଛନ୍ତି । ଭାରତରୁ ନେଇ ଅନ୍ତର୍ଜାତୀୟ ସିିନେମାର ନିଜର ଅସ୍ତିତ୍ୱ ଜାହିର କରିବା ସହ ବେଶ୍ ସଫଳ ହୋଇଛନ୍ତି । ପ୍ରିୟଙ୍କାଙ୍କୁ ସାରା ଦୁନିଆଁ ସେତେବେଳେ ପ୍ରଥମ ଥର ପାଇଁ ଦେଖିଥିଲା ଯେତେବେଳେ ସେ ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିଲେ । ଏହାପରେ ତାଙ୍କ ପାଇଁ ବଲିଉଡର ଦ୍ୱାର ଖୋଲିଯାଇଥିଲା ।

ହେଲେ ଏବେ ତାଙ୍କର ମିସ୍ ୱାର୍ଲ୍ଡ ହେବାକୁ ନେଇ ବଡ ଖୁଲାସା ହୋଇଛି । ଖୁଲାସା କରିଛନ୍ତି ବାର୍ବାଡୋସର ସୁନ୍ଦରୀ ଲିଲାନି ମେକକୌନେ । ସେ ଏବେ ଜଣେ ସକସେସଫୁଲ ୟୁଟ୍ୟୁବର । ଏବେ ୨୦୨୨ ସୁନ୍ଦରୀ ପ୍ରତିଯୋଗୀତାକୁ ନେଇ ବିବାଦ ଚାଲିଥିବାବେଳେ ପ୍ରିୟଙ୍କାଙ୍କ କଥା ଉଠାଇଛନ୍ତି ଲିଲାନି । ପ୍ରିୟଙ୍କା ବିଶ୍ୱ ସୁନ୍ଦରୀ ବିଜୟିନୀ ହେବା ପାଇଁ ‘ଫିକ୍ସିଂ’ ହୋଇଥିଲା । ଏହା ପଛରେ ଭାରତୀୟ ସ୍ପୋନ୍ସରଙ୍କ ହାତ ରହିଛି ବୋଲି ଅଭିଯୋଗ ଆଣିଛନ୍ତି ଲିଲାନୀ  ।

ସେ ଅଭିଯୋଗ କରିଛନ୍ତି ଯେ, ୨୦୦୨ରେ ଅନୁଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ ପ୍ରିୟଙ୍କାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିଲେ । ତାଙ୍କ ସହ  ଅନେକ ପ୍ରତିଯୋଗୀ ଥିଲେ । ହେଲେ ପ୍ରିୟଙ୍କାଙ୍କୁ ଖାସ୍ ଫେବର କରାଯାଉଥିଲା । ସ୍ୱିମ୍ ସୁଟ୍ ପ୍ରତିରେଯାଗୀତାରେ ତାଙ୍କୁ ସହଯୋଗ କରାଯାଇଥିଲା । ଅନ୍ୟ ପ୍ରତିଯୋଗୀମାନେ ବିକିନିରେ ଥିବାବେଳେ ପ୍ରିୟଙ୍କାଙ୍କୁ ସାରୋଙ୍ଗ ପିନ୍ଧି ରହିବାକୁ ଅନୁମତି ମିଳିଥିଲା । ଲିଲାନିଙ୍କ ଅଭିଯୋଗ, ପ୍ରିୟଙ୍କା ନିଜର ସ୍କିନ୍ ଟୋନ୍ ବଦଳାଇବାକୁ  ବିଶେଷ କ୍ରିମ ଲଗାଉଥିଲେ । ହେଲେ ସେ କ୍ରିମ କାମ କରୁନଥିବାରୁ ନିଜ ସ୍କିନ ଟୋନ୍ ଲୁଚାଇବାକୁ ତାଙ୍କୁ ବିକିନି ବଦଳରେ ସାରୋଙ୍ଗ ପିନ୍ଧିବାକୁ ଦିଆଯାଇଥିଲା ।

ଲିଲାନୀ ଅହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପ୍ରିୟଙ୍କାଙ୍କୁ ପ୍ରତିଯୋଗୀତାର ଅନ୍ୟ ପ୍ରତିଯୋଗୀମାନେ ପସନ୍ଦ କରୁନଥିଲେ । ସେ ଯାହା ବି କରୁଥିଲେ ସେଥିରେ ଆୟୋଜକଙ୍କ ହାତ ଥିଲା । ଖାଦ୍ୟ ଖାଇବାକୁ ସମସ୍ତେ ଗୋଟିଏ ଜାଗାରେ ଏକାଠି ହେଉଥିବାବେଳେ ପ୍ରିୟଙ୍କାଙ୍କ ପାଇଁ ତାଙ୍କ ରୁମକୁ ଖାଦ୍ୟ ପଠାଯାଉଥିଲା । ଖାଲି ସେତିକି ନୁହେଁ ଅନ୍ୟ ପ୍ରତିଯୋଗୀଙ୍କୁ ଲାଇନରେ ଛିଡା କରାଇଦେଇ ପ୍ରିୟଙ୍କାଙ୍କର  ଏକାଧିକ ଫଟୋସୁଟ କରାଯାଉଥିଲା । ଯେଉଁ ଡ୍ରେସ୍ ଡିଜାଇନର ପ୍ରିୟଙ୍କାଙ୍କ ଗାଉନ୍ ବନାଇଥିଲେ ସିଏ ହିଁ ଅନ୍ୟମାନଙ୍କ ପାଇଁ ଡ୍ରେସ୍ ବନାଇଥିଲେ । ହେଲେ ପ୍ରିୟଙ୍କାଙ୍କ ଡ୍ରେସ୍ ପିଟିଙ୍ଗ ହେଉଥିବାବେଳେ ଅନ୍ୟମାନଙ୍କ ଡ୍ରେସରେ ସମସ୍ୟା ଦେଖିବାକୁ ମିଳୁଥିଲା ।

ସବୁଠାରୁ ବଡ କଥା ହେଲା ଫାଇନାଲ ରାଉଣ୍ଡରେ ପ୍ରିୟଙ୍କା ବିଚାରକଙ୍କ ପ୍ରଶ୍ନର ଭୁଲ ଉତ୍ତର ଦେଇଥିଲେ ବି କିପରି ତାଙ୍କୁ ବିଜୟୀ କରାଗଲା  ସେ ନେଇ ପ୍ରଶ୍ନ କରିଛନ୍ତି ଲିଲାନି । ସେତେବେଳର କେଉଁ ଜୀବିତ ମହିୟସୀ ମହିଳା ତାଙ୍କର ଆଦର୍ଶ ବୋଲି ପ୍ରଶ୍ନ କରିଥିଲେ ବିଚାରକ । ଉତ୍ତରରେ ପ୍ରିୟଙ୍କା ‘ ମଦର ଟେରେସା’ଙ୍କ ନାଁ ନେଇଥିଲେ । ହେଲେ ସେ ସମୟରେ ମଦର ଟେରେସାଙ୍କ ଦେହାନ୍ତକୁ ୩ ବର୍ଷ ହୋଇସାରିଥିଲା ।

ତେବେ ଲିଲାନିଙ୍କ ଏପରି ଅଭିଯୋଗକୁ ସମର୍ଥନ କରିଛନ୍ତି ନେଟିଜେନ୍ସ । ଅତି ବିଳମ୍ବରେ ହେଉ ପଛେ ଏଭଳି ଖୁଲାସା କରି ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ପୋଲ ଖୋଲିଛନ୍ତି ବୋଲି ୟୁଜର୍ସ କହିଛନ୍ତି ।