କନକ ବ୍ୟୁରୋ : ବାଉଁଶରୁ ଗହଣା । ଏମିତି ଏକ ଅଭିନବ ପ୍ରୟାସ କରି ଚର୍ଚ୍ଚିତ ହୋଇଛନ୍ତି ପ୍ରିୟଦର୍ଶିନୀ ଦାସ । କରୋନା ସମୟରେ ଲକଡାଉନ୍ ଚାଲିଥିବା ବେଳେ ନିଜ ଭିତରେ ଥିବା ପ୍ରତିଭାକୁ ରୂପ ଦେଇଥିଲେ ପ୍ରିୟଦର୍ଶିନୀ । ଜଣେ ସାଧାରଣ ଗୃହିଣୀରୁ ପାଲଟି ଯାଇଛନ୍ତି ଜଣେ ସଫଳ ଉଦ୍ୟୋଗୀ । ଲୋକଙ୍କ ରୁଚି ବଦଳିବା ସହ ଫ୍ୟାସନ କେବଳ ସୁନା, ରୁପା ଗହଣା ପିନ୍ଧିବାରେ ସୀମିତ ହୋଇ ରହିନାହିଁ । ଏହାକୁ ଭଲ ଭାବେ ବୁଝି ବାଉଁଶ, ଗୁଆ, କାଇଁଚ ଓ ବିଭିନ୍ନ ମଞ୍ଜିରେ ଅଳଙ୍କାର ପ୍ରସ୍ତୁତ କରୁଛନ୍ତି ପ୍ରିୟଦର୍ଶିନୀ । କୌଣସି ପ୍ରଶିକ୍ଷଣ ନେଇନାହାନ୍ତି ସତ, କିନ୍ତୁ ତାଙ୍କ ଡିଜାଇନର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ।

Advertisment

ବାଉଁଶ କାଟି ଚୁଡ଼ି, ହାର, କାନଫୁଲ ତିଆରି କରୁଛନ୍ତି । ଗୁଆ, କାଇଁଚ ଓ ବିଭିନ୍ନ ମଞ୍ଜିରେ ବି ତିଆରି କରୁଛନ୍ତି ଅଳଙ୍କାର । ଏହିସବୁ ଗହଣା ପାଇଁ ବିଦେଶରୁ ବି ଆସୁଛି ଅର୍ଡର । ପ୍ରିୟଦର୍ଶିନୀଙ୍କ ହାତ ତିଆରି ଅଳଙ୍କାରରେ ରହିଛି ଆମ କଳାସଂସ୍କୃତିର ଛାପ । କେଉଁଠି ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ନୃତ୍ୟ ତ ପୁଣି କେଉଁଠି ଜଗନ୍ନାଥ ସଂସ୍କୃତିର ଝଲକ । ତାଙ୍କ ୱାର୍କସପରେ ବାଉଁଶ ପାଇଛି ନୂଆରୂପ । ନିଜ ଉଦ୍ୟମରେ ସେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ନିଆରା କଳାର ପ୍ରଶିକ୍ଷଣ ଦେଉଛନ୍ତି । ଏପରିକି ଫ୍ୟାସନ ଡିଜାଇନିଂର ଜଣେ ଛାତ୍ରୀ ମଧ୍ୟ ତାଙ୍କଠାରୁ ଏହି କଳା ଶିଖୁଛନ୍ତି ।

ବାଉଁଶ କାରିଗରି ପ୍ରିୟଦର୍ଶିନୀଙ୍କୁ ଦେଇଛି ନୂଆ ପରିଚୟ । ତାଙ୍କ ହାତ ତିଆରି ଅଳଙ୍କାରର ଚାହିଦା ଦିନକୁ ଦିନ ବଢ଼ୁଥିବା ବେଳେ ଅଧିକ ରୋଜଗାର ହେବାର ଆଶା ମଧ୍ୟ ରହିଛି ।