ପୁରୀ ପ୍ରଶାସନ ବିରୋଧରେ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସାଂଘାତିକ ଅଭିଯୋଗ । କହିଲେ, ତାଙ୍କୁ ଦିଆଯାଇଥିଲା ୩ଟି ବିକଳ୍ପ । ପୁରୀ ଛାଡିବା ବିକଳ୍ପ ବାଛି, ଜିଲ୍ଲାରୁ ହୋଇଥିଲେ ତଡ଼ିପାର 

398

କନକ ବ୍ୟୁରୋ: ପୁରୀ ରଥ ଯାତ୍ରା ପାଇଁ ଜଗନ୍ନାଥ ସେନା ଆବାହକ, ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁରୀରୁ ତଡିପାର କରାଯାଇଛି । ରଥ ଯାତ୍ରାରେ କାଳେ କୌଣସି ବିବାଦୀୟ ସ୍ଥିତି ସୃଷ୍ଟି କରିବେ, ସେଥିପାଇଁ ପ୍ରିୟଦର୍ଶନଙ୍କୁ ତାଗିଦ କରାଯାଇଥିଲା । ଏପରିକି ତାଙ୍କ ଆଗରେ ତିନୋଟି ବିକଳ୍ପ ଦିଆଯାଇଥିଲା । ପ୍ରଥମଟି ଥିଲା ପାସ୍ ନେଇ ରଥ ଦେଖନ୍ତୁ, ଦ୍ୱିତୀୟଟି ଘରେ ଗୃହବନ୍ଦୀ ହୋଇ ଚୁପଚାପ ବସିବେ । ତୃତୀୟଟି ପୁରୀ ଛାଡି ପଳାଇବେ । ତା ପରେ ଦେଖିବାକୁ ମିଳିଥିଲା ପ୍ରିୟଦର୍ଶନ ପୁରୀ ଛାଡି କନ୍ଧମାଳ କୋରାପୁଟ ଚାଲି ଯାଇଥିଲେ । ଏକଥା କହିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।

ପୁରୀ ରଥଯାତ୍ରା ପାଇଁ ପ୍ରଶାସନ କଡ଼ା କଟକଣା ଲଗାଇବାକୁ ଯାଉଥିବା ବେଳେ ଏହାକୁ ବିରୋଧ କରି ଆସୁଥିଲେ ପ୍ରିୟଦର୍ଶନ । ତାଙ୍କର ଯୁକ୍ତି ଥିଲା ଯଦି ଦୁଇ ଡୋଜ୍ ଭ୍ୟାକ୍ସିନ୍ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିଲେ ସେବାୟତମାନେ ନୀତିକାନ୍ତି ଓ ରଥଟଣାରେ ସାମିଲ ହୋଇ ପାରୁଛନ୍ତି, ତେବେ ଏହି ଆଧାରରେ କାହିଁକି ରଥଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ପୁରୀବାସୀ ଓ ଶ୍ରଦ୍ଧାଳୁ । ପ୍ରିୟଦର୍ଶନ କହିଛନ୍ତି, ତାଙ୍କର ଯୁକ୍ତିକୁ ଜନସମର୍ଥନ ମିଳୁଥିବାରୁ ତାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଲାଗିପଡିଥିଲା ପ୍ରଶାସନ ।

ବିନା ଭକ୍ତରେ ରଥଯାତ୍ରା ଏବଂ ବଡ଼ଦାଣ୍ଡରେ ରହୁଥିବା ଲୋକଙ୍କ ଉପରେ କଟକଣା ଲଗାଇ ରଥଯାତ୍ରାକୁ ସୁରୁଖୁରୁରେ ସାରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ଯଦି ପ୍ରିୟଦର୍ଶନ କହୁଥିବା କଥା ସତ, ତେବେ ଏହା ପ୍ରଶାସନର ସ୍ୱେଚ୍ଛାଚାରିତାକୁ ପଦାରେ ପକାଇ ଦେଇଛି ।