କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଜରିମାନା ଟଙ୍କା ଦେବାକୁ ଜୋତା ପଲିସ । ପୁରୀରେ ବୁଟ୍ ପଲିସ କରି ଟଙ୍କା ଆଦାୟ କରୁଛନ୍ତି ଆଇନଜୀବୀ । ଲୋକଙ୍କ ଜୋତା ପଲିସ କରୁଛନ୍ତି ଆଇନଜୀବୀ ତଥା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏଭଳି ଭିନ୍ନ ଶୈଳୀରେ ଜରିମାନା ଟଙ୍କା ଆଦାୟ କରୁଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।
ଟଙ୍କାଏ ଟଙ୍କାଏ ଏକାଠି କରି ଏକ ଲକ୍ଷ ଟଙ୍କା ନେଇ ସୁପ୍ରିମକୋର୍ଟରେ ଜମା କରିବେ ବୋଲି କହିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ । ତାଙ୍କର ଏହି ଭିନ୍ନ ଢଙ୍ଗରେ ଟଙ୍କା ଏକାଠି କରିବାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ କୋର୍ଟ ରାୟ ଶୁଣାଇ ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ କହିଛନ୍ତି । ପରିକ୍ରମା ପ୍ରକଳ୍ପକୁ ନେଇ ନିର୍ମାଣ କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ । ଏହାକୁ କୋର୍ଟ ଖାରଜ କରିବା ସହ ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ ।