ଆଖିମାରିବା ନୁହେଁ ଅପରାଧ : ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଦୃଶ୍ୟର ଶୁଣାଣିବେଳେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

99

ଆଖି ମାରିବା ଅପରାଧ ନୁହେଁ । ମାଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ଫିଲ୍ମରେ ଆଖିମରା ଦୃଶ୍ୟକୁ ନେଇ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ହାଇଦ୍ରାବାଦ ଓ ମୁମ୍ବାଇରେ ପ୍ରିୟା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ପ୍ରିୟା ପ୍ରକାଶଙ୍କ ଫିଲ୍ମ ଓରୁ ଅଦାର ଲବର ଏକ ଗୀତରେ ଆଖି ମାରିବାକୁ ନେଇ ଚର୍ଚ୍ଚାରେ ଆସିଥିବା ବେଳେ ବହୁ ସଂଗଠନ ଆପତ୍ତିି ଉଠାଇଥିଲେ । ଏହା ଧାର୍ମିକ ଭାବାବେଗକୁ ଆହତ କରିଛି ବୋଲି ଅଭିଯୋଗ କରିବା ସହ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଂଚିଥିବା ବେଳେ କୋର୍ଟ ଏଫଆଇଆରକୁ ରଦ୍ଦ କରିଦେଇଛନ୍ତି ।

ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଖାନୱିଲକର ଓ ଜଷ୍ଟିସ ଡୀବାଇ ଚନ୍ଦ୍ରଚୂର୍ଣ୍ଣ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି ଯେ, ଆଖି ମରା କୌଣସି ଧର୍ମ ପ୍ରତି ଅପମାନ ନୁହେଁ । ତେଣୁ ଫିଲ୍ମରେ ପ୍ରିୟା ପ୍ରକାଶ ଆଖିମାରିବା ଦୃଶ୍ୟ କିଭଳି ଧାର୍ମିକ ଭାବାବେଗକୁ ଆଘାତ ପହଂଚାଇଛି ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି ।

ଏହାସହ ଫିଲ୍ମରେ ପ୍ରିୟା ପ୍ରକାଶଙ୍କ ଆଖିମରା ଦୃଶ୍ୟ ନେଇ ଆଗକୁ ଆଉ କୌଣସି ମାମଲା ହୋଇପାରିବନି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ପ୍ରିୟାଙ୍କ ବିରୋଧରେ ମୁଖିତ୍ ଖାନ୍ କୋର୍ଟରେ ଏକ ମାମଲା କରିଥିଲେ । ଏହି ମାମଲାର ଶୁଣାଣି କରି ଜଜ୍ ଏହି ରାୟ ଶୁଣାଇଛନ୍ତି । ଏହାସହ ଅଭିଯୋଗକାରୀଙ୍କ ମୁଖିତ୍ ଖାନଙ୍କୁ କୋର୍ଟ ଭର୍ତ୍ସନା କରିଛନ୍ତି । ଲୋକପ୍ରିୟତା ହାସଲ କରିବାକୁ ଅଭିଯୋଗକାରୀ ଏପରି କରିଛନ୍ତି ବୋଲି ଜଜ୍ ମାନେ କହିଛନ୍ତି ।