ଭାରତୀୟ ରେଲୱେ ଟ୍ରାକରେ ଖୁବଶୀଘ୍ର ଗଡିବାକୁ ଯାଉଛି ଘରୋଇ ଟ୍ରେନ୍ । ଆଇଆରସିଟିସି ତରଫରୁ ଅକ୍ଟୋବର ୧୭ ତାରିଖ ଠାରୁ ଟ୍ରେନ ଚାଲିବା ନେଇ ପ୍ରସ୍ତୁତି ଜୋରଦାର ।

8,500
କନକ ବ୍ୟୁରୋ : ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ପାର୍ବଣ ପୂର୍ବରୁ ଟ୍ରାକରେ ଗଡିବା ନେଇ ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି । ଆଇଆରସିଟିସି ପକ୍ଷରୁ ଅକ୍ଟୋବର ୧୭ ତାରିଖ ଠାରୁ ତେଜସ୍ ଟ୍ରେନ ଚଳାଚଳ କରାଇବା ନେଇ ରେଳ ମନ୍ତ୍ରଣାଳୟକୁ ଅନୁମତି ମାଗିଛି । ଏହା ସହ ଲିଜ୍ ଚାର୍ଜ କ୍ଷମା କରିବା ନେଇ ମଧ୍ୟ ଚିଠିରେ ଅନୁରୋଧ କରାଯାଇଛି । କହିରଖୁ କି ଏହି ଘରୋଇ ଟ୍ରେନ୍ ୨୦୨୦ ଆରମ୍ଭରୁ ଦିଲ୍ଲୀ-ଲଖ୍ନୌ, ଅହମ୍ମଦାବାଦ-ମୁମ୍ବାଇ ଏବଂ ବାରଣାସୀ–ଇନ୍ଦୋର ମଧ୍ୟରେ ଚାଲିଥିଲା । ହେଲେ କରୋନା ମହାମାରୀ ପାଇଁ ୨୨ ମାର୍ଚ୍ଚରୁ ଏହାକୁ ବନ୍ଦ ରଖାଯାଇଥିଲା । ସୂଚନା ଥାଉକି ଘରୋଇଟ୍ରେନର ପରିଚାଳନା କ୍ଷମତା ଆଇଆରସିଟିସି ହାତରେ ରହିଛି ।
ସିଏନ୍ବିସି ଆୱାଜର ସୁତ୍ର ମୁତାବକ ଆଇଆରସିଟିସି ଘରୋଇଟ୍ରେନ ତେଜସ୍ ଚଳାଇବା ଆରମ୍ଭ କରିବ । ଏହାକୁ ନେଇ ଆଇଆରସିଟିସି ରେଳ ମନ୍ତ୍ରାଳୟକୁ ଚିଠି ଲେଖିଛି । ଏହି ଚିଠିରେ ୧୭ ଅକ୍ଟୋବର ଠାରୁ ତେଜସ୍ ଟ୍ରେନ୍ ଚଳାଇବାକୁ ଅନୁମତି ମାଗିଛି । ଏହାସହ ବନ୍ଦ ଥିବା ସମୟରେ ଲିଜ୍ ଚାର୍ଜ କ୍ଷମା କରିବାକୁ ଚିଠିରେ ଅନୁରୋଧ କରାଯାଇଛି । କହିରଖୁ କି ତେଜସ ଟ୍ରେନ୍ ପାଇଁ ଆଇଆରସିଟିସି ରେଳ ମନ୍ତ୍ରଣାଳୟକୁ ଦୈନିକ ୧୩ ଲକ୍ଷ ଟଙ୍କା ଲିଜ୍ ଚାର୍ଜ ଦେବାକୁ ପଡିଥାଏ ।
ଏହି ଟ୍ରେନ୍ ଯାତ୍ରୀ ମାନଙ୍କୁ କିଛି ଖାସ୍ ସୁବିଧା ଯୋଗାଇଥାଏ । ଏହି ଟ୍ରେନରେ ସୁସ୍ୱାଦୁ ଖାଦ୍ୟ ବିନା ମୂଲ୍ୟରେ ମିଳିଥାଏ । ଏହାସହ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୨୫ ଲକ୍ଷ ଟଙ୍କାଯାଏ ମାଗଣା ରେଳଯାତ୍ରାର ସୁବିଧା ଦେଇଥାଏ ଆଇଆରସିଟିସି । ଅନ୍ୟପଟେ ରେଳର ବିଳମ୍ବତା ନେଇ ବି ଯାତ୍ରୀ ମାନଙ୍କୁ କ୍ଷତିପୁରଣ ପ୍ରଦାନ କରିଥାଏ ଆଇଆସିଟିସି । ଯେଭଳି କି ୨ ଘଂଟା ବିଳମ୍ବ ପାଇଁ ୧ ଶହ ଟଙ୍କା ଓ ୨ ଘଂଟାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା କ୍ଷତିପୁରଣ ଯାତ୍ରୀ ମାନଙ୍କୁ ମିଳିଥାଏ ।