ହିମାଚଳପ୍ରଦେଶରେ ଘାଟି ତଳକୁ ଖସିଲା ସ୍କୁଲ ବସ୍ । ଘଟଣାସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ରହିଛନ୍ତି କିଛି ସ୍କୁଲ ଛାତ୍ରଛାତ୍ରୀ ।

305

କନକ ବ୍ୟୁରୋ : ହିମାଚଳପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ସ୍କୁଲ ବସ୍ ଦୁର୍ଘଟଣା । ସୋମବାର ସକାଳୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି । ସ୍କୁଲକୁ ଯାଉଥିବା ଏକ ଘାଟି ତଳକୁ ଖସିପଡିଥିବା ନେଇ ସୂଚନା ମିଳିଛି । ଆଉ ଘଟଣାସ୍ଥଳରେ ହିଁ ୧୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ଛାତ୍ରଛାତ୍ରୀ ଥିବା କୁହାଯାଉଛି । ଛାତ୍ରଛାତ୍ରୀ ମାନେ ବସରେ ସ୍କୁଲ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି ।

ମିଳିଥିବା ସୂଚନା ମୁତାବକ, ଏହି ବସଟି ସେଞ୍ଚ ଘାଟିର ଶେନସରରୁ ସେଞ୍ଚକୁ ଆସୁଥିଲା । କିନ୍ତୁ ସେଞ୍ଚରେ ପହଞ୍ଚିବା ପୂର୍ବରୁ ହିଁ ଜଙ୍ଗଲା ଠାରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା ବସ୍ । ଏହି ବସରେ ସ୍ଥାନୀୟ ଲୋକଙ୍କ ସମେତ କିଛି ସ୍କୁଲ ଛାତ୍ରଛାତ୍ରୀ ରହିଥିଲେ । ଆଉ ବସଟି ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ସ୍କୁଲ ଯାଉଥିଲା । ଘାଟି ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳର ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି ।