ଲକଡାଉନରେ କେଉଁମାନେ ଆସିବେ ଅଫିସ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର ।

555

କନକ ବ୍ୟୁରୋ : ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଥିବା ବେଳେ ବିଭିନ୍ନ କାର୍ଯ୍ୟକଳାପ ଉପରେ କଟକଣା ଲଗାଇଛନ୍ତି । ଚଳିତ ଲକଡାଉନରେ କୌଣସି ଯାତାୟତ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଯାହାଦ୍ୱାରା ଅନେକ ଅମାନିଆ କମ୍ପାନି ପରିଚୟପତ୍ର ଦେଖାଇ ବୁଲୁଥିବାର ଦେଖିବାକୁ ମିଳୁଛି । ଧରାପଡିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ତେବେ ଏଭଳି ଅମାନିଆଙ୍କୁ ସାବାଡ କରିବାକୁ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯେଉଁମାନେ କେବଳ ଅଫିସ ଆସିବେ ସେହି ମାନଙ୍କ ତାଲିକା ଡିସିପିଙ୍କୁ ଦେବାକୁ କହିଛନ୍ତି ପୋଲିସ କମିଶନର । ଏହାସହ ସଂସ୍ଥାର ଅଧିକାରୀଙ୍କ ପକ୍ଷରୁ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ଦେବେ । ପରିଚୟପତ୍ର ଓ ଏହି ଲେଟର ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ ।

ଲକଡାଉନରେ ଅମାନିଆଙ୍କୁ ସାବାଡ କରିବାକୁ ଏଭଳି ବ୍ୟବସ୍ଥା ଆପଣାଯାଇଛି । ତେବେ ମେଡିକାଲକୁ ଯାଉଥିବା ଲୋକଙ୍କୁ କୌଣସି ଚେକପୋଷ୍ଟରେ ଅଟକା ଯାଉନାହିଁ । ସଠିକ୍ କାରଣ ଦର୍ଶାଇଲେ ଛାଡି ଦିଆଯାଉଛି । ଏହାବାଦ୍ ଯେଉଁମାନେ ଟିକା ନେବାକୁ ଆସୁଛନ୍ତି ସେମାନଙ୍କୁ କୌଣସି ଚେକପୋଷ୍ଟରେ ଅଟକା ଯାଉନାହିଁ । ଟିକାକରଣ ସମ୍ପର୍କିତ କାଗଜପତ୍ର ଦେଖାଇ ଟିକା ନେବାକୁ ଯାଇପାରିବେ ଲୋକେ ।