ମହାମାରୀ ବେଳେ ମଣିଷପଣିଆର ହତ୍ୟା ! କରୋନା ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ହସ୍ପିଟାଲ ! ଆସିଲା ସାଂଘାତିକ ଅଭିଯୋଗ, ୫ ହଜାର ବଦଳରେ ୨୫ ହଜାର କରୁଛନ୍ତି ଦାବି । 

660

କନକ ବ୍ୟୁରୋ : କରୋନା ମହାମାରୀ ଦିନକୁ ଦିନ କାୟା ମେଲାଉଥିବା ବେଳେ, ହସ୍ପିଟାଲ ଗୁଡିକର ଅବସ୍ଥା ଭୟାବହ ହୋଇପଡିଲାଣି । ସରକାରୀ ହସ୍ପିଟାଲ ଗୁଡିକରେ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍ ଏବଂ ଭେଣ୍ଟିଲେଟରର ସଙ୍କଟ ପଡିଛି । ଆଉ ଏପରି ସ୍ଥିତିରେ ସମସ୍ତେ ପ୍ରାଇଭେଟ୍ ହସ୍ପିଟାଲ ଉପରେ ନିର୍ଭରଶୀଳ ହେଉଛନ୍ତି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି, ଲୋକଙ୍କ ଅସହାୟତାକୁ ଟଙ୍କା ରୋଜଗାରର ସୁଯୋଗ ବୋଲି ଭାନିନେଇଛନ୍ତି କିଛି ପ୍ରାଇଭେଟ୍ ହସ୍ପିଟାଲ୍ । ଆଲିଗଡରୁ ଆସିଛି କିଛି ଏପରି ସାଂଘାତିକ ଅଭିଯୋଗ ।

ସାଧାରଣ ଦିନ ଅପେକ୍ଷା ୧୦ଗୁଣା ଅଧିକ ନିଆଯାଉଛି ଚିକିତ୍ସା ଖର୍ଚ୍ଚ । ସାଧାରଣ ଦିନ ମାନଙ୍କରେ ଯେଉଁ ବେଡ୍ ଗୁଡିକର ଚାର୍ଜ ୧୨ଶହରୁ ୫ ହଜାର ଟଙ୍କା ମଧ୍ୟରେ ରହୁଥିଲା, ଏବେ ସେହି ବେଡ୍ ପ୍ରତି ୧୦ରୁ ୨୫ ହଜାର ଟଙ୍କା ଦାବି କରାଯାଉଛି । ଔଷଧ ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ଅତିର୍ିକ୍ତ ୧୦ରୁ ୧୫ ହଜାର ଟଙ୍କା ନିଆଯାଉଛି । ଆଉ ଏହିପରି ଭାବେ ଜଣେ କରୋନା ଆକ୍ରାନ୍ତଙ୍କର ଚିକିତ୍ସା ବାବଦକୁ ଖର୍ଚ୍ଚ ୩ରୁ ୫ ଲକ୍ଷ ପର୍ଯ୍ୟନ୍ତ ନେଉଛନ୍ତି କିଛି ହସ୍ପିଟାଲ । ଆଉ ସବୁଠାରୁ ବଡ କଥା ହେଉଛି, ସବୁକିଛି ଜାଣି ମଧ୍ୟ ଚୁପ୍ ବସିଛି ପ୍ରଶାସନ ।

କରୋନା ମହାମାରୀ ସହ ଲଢେଇରେ ଲୋକମାନେ ଅସହାୟ ହୋଇପଡୁଥିବା ବେଳେ, ଏହାର ଫାଇଦା ନେଉଛନ୍ତି କେତେକ ଘରୋଇ ହସ୍ପିଟାଲ । ଚିକିତ୍ସା ପାଇଁ ପ୍ରାଇଭେଟ୍ ହସ୍ପିଟାଲକୁ ଦୌଡି ଆସୁଥିବା ଲୋକଙ୍କ ଠାରୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଆଉ ଏପରି ସ୍ଥିତିରେ ପ୍ରଶାସନ କିମ୍ବା ସରକାର ଏଭଳି ଘରୋଇ ହସ୍ପିଟାଲ ଗୁଡିକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।