କରୋନା ଟେଷ୍ଟ ପାଇଁ ଘରୋଇ ହସ୍ପିଟାଲ ଯାଉଛନ୍ତି କି? ସାବଧାନ! ଲୋକଙ୍କୁ ମନଇଚ୍ଛା ଲୁଟାଯାଉଛି…

ସରକାରୀ ନିର୍ଦେଶନାମାକୁ ମାନୁ ନାହାନ୍ତି ରାଜଧାନୀର ଘରୋଇ ହସ୍ପିଟାଲ

80

ସରକାରୀ ନିର୍ଦେଶନାମାକୁ ମାନୁ ନାହାନ୍ତି ରାଜଧାନୀର ଘରୋଇ ହସ୍ପିଟାଲ । କୋଭିଡ୍‌ ପରୀକ୍ଷା ନାଁରେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି । କୋଭିଡ୍‌ ପରୀକ୍ଷା ଦର ସରକାର ଯାହା ଧାର୍ଯ୍ୟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଉଛନ୍ତି । ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ଏଭଳି ଗଦା ଗଦା ଅଭିଯୋଗ ଆସିଲାଣି । ବିଶେଷକରି ସାମାଜିକ ଗଣମାଧ୍ୟମରେ ଲୋକେ ଖୋଲାଖୋଲି ଅଭିଯୋଗ କରିବା ସହିତ ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ମାତ୍ର ସରକାରୀ ଉଦାସୀନତା ଏଭଳି ଦିନ ଦ୍ବିପ୍ରହରର ଲୁଟ‌କୁ ପ୍ରୋତ୍ସାହିତ କରୁଛି ।

ଅପରପକ୍ଷରେ ସବୁଠାରୁ ବିଶ୍ବସନୀୟ କୋଭିଡ୍‌ ପରୀକ୍ଷା ଆର‌ଟି-ପିସିଆର୍‌ ଦରକୁ ରାଜ୍ୟ ସରକାର ୪ଶହ ଟଙ୍କାକୁ ହ୍ରାସ କରିଛନ୍ତି, ଯାହାକି ଦେଶରେ ସବୁଠାରୁ କମ୍ । ଆଜି ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ କିଟ୍‌ ଦର କମାଇଥିଲେ ମଧ୍ୟ ଘରୋଇ ହସ୍ପିଟାଲ‌ରେ ଲୋକଙ୍କଠାରୁ କେତେ ଟଙ୍କା ନିଆଯିବ, ତାହାର ଯାଞ୍ଚ କିଏ କରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଦେବବ୍ରତ ମହାନ୍ତି ନାମକ ଜଣେ ବ୍ୟକ୍ତି ରାଜଧାନୀର ଏକ ନାମୀ ଘରୋଇ ହସ୍ପିଟାଲକୁ ନିଜ ବାପାଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ରାପିଡ୍‌ ଆଣ୍ଟିଜେନ୍ କିଟ‌ରେ ପରୀକ୍ଷା ବାବଦରେ ୮ଶହ ଟଙ୍କା ଦାବି କରାଯାଇଥିଲା । ଏହାକୁ ସେ ବିରୋଧ କରିଥିଲେ । ହେଲେ ହସ୍ପିଟାଲରେ କେହି ଶୁଣି ନଥିଲେ । ଫଳରେ ବାଧ୍ୟ ହୋଇ ଦେବବ୍ରତ ଫେରି ଆସିଥିଲେ । ଏନେଇ ସେ ଟ୍ବିଟରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ଓ ଆଇସିଏମଆରକୁ ଟ୍ୟାଗ୍‌ କରି ଏଭଳି ଲୁଟ୍‌ ସଂପର୍କରେ ସୂଚନା ଦେଇଛନ୍ତି ।

ଗତ ଜୁଲାଇ ୧୪ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଦରକୁ ଘରୋଇ ହସ୍ପିଟାଲ ଓ ପରୀକ୍ଷାଗାର ପାଇଁ ୪୫୦ଟଙ୍କା ଧାର୍ଯ୍ୟ କରାଯାଇଥିଲା । ସେବେଠାରୁ ଏହି ଦର ଅପରିବର୍ତିତ ରହିଛି । ହେଲେ ଘରୋଇ ହସ୍ପିଟାଲଗୁଡ଼ିକ ବିଭିନ୍ନ ବାହାନା କରି ରୋଗୀଙ୍କଠାରୁ ମନଇଚ୍ଛା ଦର ନେଉଛନ୍ତି; କେଉଁ ହସ୍ପିଟାଲରେ ୬ଶହ ତ ଆଉ କେଉଁଠି ୮ଶହ ଟଙ୍କା । ସେହିପରି ରାଜ୍ୟରେ ପୂର୍ବରୁ ଆର‌ଟି-ପିସିଆର୍‌ ପରୀକ୍ଷା ଦର ଘରୋଇ ହସ୍ପିଟାଲରେ ଅଢ଼େଇ ହଜାର ଓ ପରବର୍ତୀ ସମୟରେ ୧୨ଶହ ଟଙ୍କାକୁ ହ୍ରାସ କରାଯାଇଥିଲା । ନିକଟରେ ରାଜ୍ୟ ସରକାର ଏହାର ଦରକୁ ୪ଶହ ଟଙ୍କାକୁ କମାଇ ଦେଇଛନ୍ତି । ଦର କମାଇବାର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ । ହେଲେ ରାଜଧାନୀର ଘରୋଇ ହସ୍ପିଟାଲମାନେ ଆରଟି-ପିସିଆର ପରୀକ୍ଷା ଦର ୨ ହଜାର ଟଙ୍କାରୁ ୨୬ଶହ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ।

ଜାଣିଶୁଣି ଏଥିରେ ଡାକ୍ତର କନସଲଟ ଓ ଅନ୍ୟ ଖର୍ଚକୁ ସାମିଲ କରିବା ଫଳରେ ଦରବୃଦ୍ଧି ପାଉଛି । ସରକାରଙ୍କ ଧାର୍ଯ୍ୟଦର ବଦଳରେ ଏଭଳି କାହିଁକି ଚଢ଼ା ଦର ନିଆଯାଉଛି, ପଚାରିଲେ ଅବାନ୍ତର ଯୁକ୍ତି କରିବା ସହ ଆମ ହସ୍ପିଟାଲରେ ଏହି ଦର ରହିଛି ବୋଲି କହ‌ୁଛନ୍ତି । ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିଥିବା ଲୋକମାନେ ଏଭଳି ଲୁଟ୍‌ ସଂପର୍କରେ ଜାଣୁଥିଲେ ହେଁ ପ୍ରତିବାଦ କରିପାରୁ ନାହାନ୍ତି । ରାଜଧାନୀରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ହସ୍ପିଟାଲଗୁଡ଼ିକରେ ଅନ୍ୟ ସାଧାରଣ ରୋଗୀଙ୍କ ଭିଡ଼ ହେଉଛି । ତେଣୁ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡ଼ିକ ମନଇଚ୍ଛା ଲୁଟ୍ କରୁଛନ୍ତି । ଅପରପକ୍ଷରେ ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରୀ ଦର ଅନୁଯାୟୀ, ଟଙ୍କା ନିଆଯାଉଛି କି ନାହିଁ, ତାହା ଜାଣିବା ଲାଗି କୌଣସି ବ୍ୟବସ୍ଥା ନାହିଁ । ଅଧିକାରୀମାନେ କେବଳ ଅଭିଯୋଗ ଆସିଲେ ହିଁ ଏହାର ତଦନ୍ତ କରାଯିବ ବୋଲି କହୁଛନ୍ତି । ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶ୍ରୀ ମହାପାତ୍ର କହିଛନ୍ତି, ଏ ନେଇ ଏକ ଟିମ୍ ପଠାଯାଇ ଏହାର ତଦନ୍ତ କରାଯିବ ।