ପ୍ରାଇଭେଟ ଚାକିରିଆଙ୍କଠାରୁ ଆରମ୍ଭ କରି ଶ୍ରମିକ ସବୁ ପାଇବେ ପେନସନ୍ । ସରକାରଙ୍କ ଏହି ସବୁ ଯୋଜନାରେ କରନ୍ତୁ ନିବେଶ ।

2,996

କନକ ବ୍ୟୁରୋ : କଣ ଆପଣ ପ୍ରାଇଭେଟ ଚାକିରି କରୁଛନ୍ତି? କଣ ଆପଣଙ୍କର ଛୋଟମୋଟ କାରବାର ଅଛି? ତାହାଲେ ଆପଣ ବି ପାଇ ପାରିବେ ପେନସନ । କିଛି ସରକାରୀ ସ୍କିମ ମାଧ୍ୟମରେ ଆପଣ ଏହି ପେନସନର ଲାଭ ଉଠାଇ ପାରିବେ । ପ୍ରତ୍ୟକ ମାସ ଅବା ସପ୍ତାହରେ ଆପଣ କିଛି କିଛି ଟଙ୍କା ଜମା କରି ୬୦ ବର୍ଷ ପରେ ପେନସନ ପାଇପାରିବେ । ଆଉ ବୃଦ୍ଧା ଅବସ୍ଥାରେ ନିଜ ନିଜର ସାହାରା ହୋଇ ପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ସ୍କିମ ବିଷୟରେ କହିବାକୁ ଯାଉଛୁ ।

ଅଟଳ ପେନସନ ଯୋଜନା
ଏହି ପେନସନ ଯୋଜନାରେ ୧୮ ବର୍ଷରୁ ୪୦ ବର୍ଷ ଯାଏଁ ଲୋକମାନେ ନିବେଶ କରିପାରିବେ । ଆଉ ୬୦ ବର୍ଷ ପରେ ପେନସନ ପାଇପାରିବେ । ହେଲେ ୪୦ ବର୍ଷରୁ ଅଧିକ ଲୋକ ଏଥିରେ ନିବେଶ କରିପାରିବେ ନାହିଁ । ଏଥିରେ ନିବେଶ କରିବା ପାଇଁ ଆପଣଙ୍କୁ ଆପଣଙ୍କ ନିକଟସ୍ଥ ବ୍ୟାଙ୍କକୁ ଯାଇ ଆବେଦନ କରିବାକୁ ହେବ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ୪୦ ବର୍ଷ ଯାଏଁ ୨୧୦ ଟଙ୍କା ଜମା କରନ୍ତୁ ଆଉ ଏହାପରେ ଆପଣଙ୍କୁ ମାସକୁ ୫ ହଜାର ଟଙ୍କା ପେନସନ ମିଳିବ ।

ପିଏମ କିସାନ ମାନଧନ ଯୋଜନା
ସାଧାରଣତଃ ଚାଷୀମାନଙ୍କୁ ପେନସନ ଦେବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ସହ ଜଡିତ ହେଲେ ୬୦ ବର୍ଷ ପରେ ପେନସନ ପାଇପାରିବେ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ । ଯଦି ଆପଣଙ୍କୁ ୩୦ ବର୍ଷ ତେବେ ପ୍ରତି ମାସରେ ୧୧୦ ଟଙ୍କା ଜମା କରିବାକୁ ହେବ । ଆଉ ୪୦ ବର୍ଷ ହୋଇଥିଲେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ହେବ । ଅର୍ଥାତ ଆପଣଙ୍କ ବୟସ ଯେତେ ଅଧିକା ହୋଇଥିବ ସେତେ ଅଧିକ ଟଙ୍କା ଜମା କରିବାକୁ ହେବ ।

ପିଏମ ଶ୍ରମ ୟୋଗୀ ମାନଧନ ଯୋଜନା
ଏହି ଯୋଜନା ମାଧ୍ୟମରେ ଶ୍ରମିକ ଶ୍ରେଣୀର ଲୋକମାନେ ପେନସନ ପାଇପାରିବେ । ଏହା ଦ୍ୱାରା ଶ୍ରମିକ, ଛୋଟ ଦୋକାନୀମାନେ ଉପକୃତ ହୋଇପାରିବେ । ଏଥିରେ ଏକ ସର୍ତ୍ତ ରହିଛି ଯେଉଁଥିରେ କୁହାଯାଇଛି ଆପଣଙ୍କ ମାସିକ ଆୟ ୧୫ ହଜାରରୁ କମ ହୋଇଥିବ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ । ଆଉ ୩୦ ବର୍ଷ ହୋଇଥିଲେ ୧୧୦ ଟଙ୍କା, ୪୦ ବର୍ଷ ହୋଇଥିଲେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ହେବ । ଆଉ ୬୦ ବର୍ଷ ପରେ ଆପଣଙ୍କୁ ୩ ହଜାର ଟଙ୍କା ପେନସନ ମିଳିବ ।

ପିଏମ ଲଘୁ ବ୍ୟାପାରୀ ମାନଧନ ଯୋଜନା
ଏହି ପେନସନ ଯୋଜନା ମାଧ୍ୟମରେ ଆପଣ ମାସକୁ ୩ ହଜାର ଟଙ୍କା ପେନସନ ପାଇପାରିବେ । ଏହି ଯୋଜନା ଛୋଟମୋଟ କାରବାର କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଯେମିତି କି ତେଜରାତି ଦୋକାନୀ, କପଡା ଦୋକାନୀ, ଫଳ ପନିପରିବା ଦୋକାନୀ ଏହାର ଲାଭ ଉଠାଇ ପାରିବେ ।

ନିଜ ବୃଦ୍ଧାବସ୍ଥାକୁ ସୁଖମୟ କରିବା ପାଇଁ ଆପଣ ବି ଚାହିଁଲେ ଏହି ସବୁ ଯୋଜନାରେ ଆବେଦନ କରିପାରିବେ । ଆଉ ୬୦ ବର୍ଷରେ ପେନସନ ପାଇ ଖୁସିରେ ଜୀବନଯାପନ କରିପାରିବେ ।