କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ : ଆଲୋଚନା ପାଇଁ ସରକାର ନଡାକିବାରୁ ଓଡ଼ିଶା ବସ ମାଲିକ ସଂଘର ନିଷ୍ପତ୍ତି

10,158

କନକ ବ୍ୟୁରୋ : ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତି ନେଇଛି । ରବିବାର ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ସରକାର ଆଲୋଚନାକୁ ଡାକିଲେ ନାହିଁ କି ଉଠାଯାଇଥିବା ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ ।

ବସ ମାଲିକଙ୍କ ଦାବି ହେଉଛି, ନୂଆ ବସ ଅଣାନଯାଇ ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ । ‘ଲକ୍ଷ୍ମୀ’ ବସ ଚାଲିବାକୁ ଥିବା ଅଞ୍ଚଳରେ ସମୟ ନିର୍ଘଣ୍ଟ ସ୍ଥିର ହେଉ । ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଗତ ୨ ତାରିଖରେ ଅବିଭକ୍ତ କୋରାପୁରଟରେ ୨୪ ଘଣ୍ଟା ପାଇଁ ଘରୋଇ ବସ ଚଳାଚଳ ବନ୍ଦ ରହିଥିଲା । ପରିବହନ କମିଶନର ବସ ମାଲିକଙ୍କ ସହ ଆଲୋଚନା ପରେ ବି ନିଷ୍କର୍ସ ବାହାରିନଥିଲା । ଏହା ପୂର୍ବରୁ ଗତ ୨୭ ତାରିଖରେ ଘରୋଇ ବସ ମାଲିକ ସଂଘ ଏହି ବନ୍ଦ ଡାକରା ଦେଇଥିଲା ।

ରାଜ୍ୟ ସରକାର ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗାନ୍ଧୀ ଜୟନ୍ତୀରୁ ମାଲାକାନଗିରି ଜିଲ୍ଲାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ଅନୁସାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟ, ବ୍ଲକ୍‌ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମା, ଜିଲ୍ଲା ସଦର ମହକୁମାରୁ ରାଜଧାନୀକୁ ବସ୍ ଚଳାଚଳ ପାଇଁ ଯୋଜନା ହୋଇଛି । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେ‌ଲେ ରାଜ୍ୟର ବିଭିନ୍ନ ରୁଟ୍‌ରେ ଚାଲିଥିବା ୧୪ ହଜାର ଘ‌ରୋଇ ବସ୍ ପ୍ରଭାବିତ ହେବେ । ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ୮ ହଜାର ବସ୍ ମାଲିକ କ୍ଷତି ସହିବେ ।

ସେହିଭଳି ଘରୋଇ ବସ୍‌ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ କର୍ମଚାରୀ ମଧ୍ୟ କ୍ଷତି ସହିବାର ଆଶଙ୍କା ପ୍ରକ‌ାଶ କରି ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏ ନେଇ କିଛି ପ୍ରସ୍ତାବ ପଠାଇଥିଲେ। ଲକ୍ଷ୍ମୀ ବସ୍ ଯୋଜନାରେ ଘରୋଇ ବସ୍‌ଗୁଡିକୁ ସାମିଲ କରି ବିଭିନ୍ନ ରୁଟ୍‌ରେ ଚଲାଇବାକୁ ସଂଘ ଦାବି କରିଥିଲା । ମୋ ବସ୍‌ଗୁଡିକୁ କେବଳ ସହରାଞ୍ଚଳରେ ଚଲାଇବାକୁ ମଧ୍ୟ ସଂଘ ଦାବି କରିଥିଲା । ସରକାର ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦୁଇ ପ୍ରମୁଖ ଦାବିକୁ ମାନି ନଥିବାରୁ ସଂଘ ବାଧ୍ୟ ହୋଇ ବନ୍ଦ ନିଷ୍ପତ୍ତି ନେଇଛି ।