ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ । ବସ୍ ପରିମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର କର, ନହେଲେ ଆସନ୍ତା ୧୨ରୁ ଗଡିବନି ବସ୍ ।  

Advertisment
ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ । ବସ୍ ପରିମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର କର, ନହେଲେ ଆସନ୍ତା ୧୨ରୁ ଗଡିବନି ବସ୍ ।  

କନକ ବ୍ୟୁରୋ:  ସରକାର ନ ଶୁଣିଲେ ଆସନ୍ତା ମାସ ୧୨ ତାରିଖରୁ ବନ୍ଦ ହେବ ବସ୍ ଚଳାଚଳ । ପୁରୀରେ ବସ୍ ଭିତରେ ନାବାଳିକା ଦୁଷ୍କର୍ମ ମାମଲାରେ ପରିବହନ ବିଭାଗ ଉକ୍ତ ବସ୍ ପରିମିଟ୍ ବାତିଲ କରିବା ପରେ ତାତି ଉଠିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ୍ ପରିମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର  ନହେଲେ ଆସନ୍ତା ୧୨ ତାରିଖରୁ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି ବସ୍ ମାଲିକ ସଂଘ ।

ଏହାପୂର୍ବରୁ ପୁରୀ ଶରଧାବାଲି ବସଷ୍ଟାଣ୍ଡରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତ ହେଲପର୍ ନାରାୟଣ ମଲ୍ଲିକକୁ ଗିରଫ କରି ତା’ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିଥିବା ବେଳେ ରାଜ୍ୟ ପରିବହନ ବିଭାଗ ମଧ୍ୟ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯେଉଁ ବସରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା, ସେ ବସର ରୁଟ୍ ପରିମିଟକୁ ବାତିଲ କରିବା ସହ ବସ୍ ଚାଳକ ରମେଶ ପଲାଇ ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା । ଏହାସହ ବସର ମାଲିକ ବିଭୂତି ଭୂଷଣ ଛୋଟରାୟଙ୍କୁ କାହିଁକି ବସ୍ ଚଳାଚଳ ପାଇଁ ସ୍ଥାୟୀ ପରମିଟ ରଦ୍ଦ କରା ନଯିବ, ସେଥିପାଇଁ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ତେବେ ପରିବହନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରାଯାଇଥିଲେ ମଧ୍ୟ ବିଭାଗ ନିଜ ଭୁଲକୁ ଘଣ୍ଟ ଘୋଡାଇବାରେ ସକ୍ଷମ ହୋଇଛି। ଦିଲ୍ଲୀର ନିର୍ଭୟା ଘଟଣା ପରେ ସମସ୍ତ ବସରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଥିଲେ ସୁପ୍ରିମକୋର୍ଟ । କିନ୍ତୁ ରାଜ୍ୟରେ ଏଯାବତ୍ ତାହା କାର୍ଯ୍ୟକାରୀ ହେଲାନାହିଁ। ସୂଚନା ମୁତାବକ, ରାଜ୍ୟରେ ଚଳାଚଳ କରୁଥିବା ପ୍ରାୟ ୯୦ ପ୍ରତିଶତ ବସରେ ସିସିଟିଭି କ୍ୟାମେରା ହିଁ ନାହିଁ। ଆଉ ସବୁଠୁ ବଡ଼ କଥା ହେଲା, ପରିବହନ ବିଭାଗ ଏ ବାବଦରେ କେବେ ବି କୌଣସି ବସ୍ ମାଲିକଙ୍କୁ ନୋଟିସ୍ କରିନାହିଁ କି ସିସି କ୍ୟାମେରା ନଥିବା ଅଭିଯୋଗରେ ବସରେ କେବେ ଚଢଉ କରିନାହିଁ। ଚୋର ଗଲା ପରେ ବୁଦ୍ଧି ପଶିବା ନ୍ୟାୟରେ ଦୁଷ୍କର୍ମ ଘଟଣା ପରେ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe