କନକ ବ୍ୟୁରୋ : ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଲକ୍ଷ୍ମୀ ବସ ଯୋଜନା । ଆଉ ମାଲକାନଗିରିରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବସ ବି ପଂହଚିସାରିଲାଣି । କିନ୍ତୁ ରାଜ୍ୟର ଘରୋଇ ବସ ମାଲିକ ସଂଘ ଏଥିରେ ଅସନ୍ତୋଷ ପ୍ରକାଶ କରି ସିଧାସଳଖ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ୍ ଧର୍ମଘଟ ଡାକରା ଦେଇଛି । ୨ ତାରିଖ ଶୁଭାରମ୍ଭ ଦିନ ମାଲକାନଗିରି ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବି ବନ୍ଦ ରହିବ । ବାହାର ଜିଲ୍ଲାରୁ କୌଣସି ବେସରକାରୀ ବସ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ ଆସିବ ନାହିଁ । ଆଉ ଏଭଳି ଧମକ ସରକାରଙ୍କୁ ଅଡୁଆରେ ପକାଇଦେଇଛି । ଗୁରବାର ତରବରିଆ ପରିବହନ କମିଶନର ବସ ମାଲିକଙ୍କୁ ଡାକି ଆଲୋଚନା କରିଛନ୍ତି । ତା ସତ୍ୱେ ବି ବସ ମାଲିକ ଆନ୍ଦୋଳନ କରିବା ଜିଦରେ ଅଟଳ ଅଛନ୍ତି ।

Advertisment

ଘରୋଇ ବସ ମାଲିକଙ୍କ ପ୍ରମୁଖ ଦାବି
-‘ଲକ୍ଷ୍ମୀ’ ଯୋଜନା ଘରୋଇ ବସ ଚଳାଚଳ ଉପରେ ପ୍ରଭାବ ପକାଇବ
-ନୂଆ ବସ ଅଣାନଯାଇ ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ
- ‘ଲକ୍ଷ୍ମୀ’ ବସ ଚାଲିବାକୁ ଥିବା ଅଂଚଳରେ ସମୟ ନିର୍ଘଂଟ ସ୍ଥିର ହେଉ
-ଏ ନେଇ ସଂପୃକ୍ତ ଅଂଚଳର ଆରଟିଓ ଓ ଆଂଚଳିକ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା ହେଉ

ସେପଟେ ୨୭ ତାରିଖରେ ପରିବହନ କମିଶନର ଏକ ଚିଠି କରିଛନ୍ତି । ଏଥିରେ ସଂପୃକ୍ତ ଅଂଚଳର ଆରଟିଓ ସ୍ଥାନୀୟ ବସ ସଂଘ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ବସ ଓ ‘ଲକ୍ଷ୍ମୀ’ ବସ ଚଳାଚଳ ଯେଭଳି ଅଲଗା ରହେ ସେ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ଅକ୍ଟୋବର ୨ ତାରିଖରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ପୂର୍ବରୁ ସରକାର କୌଣସି ବିବାଦ ଚାହୁଁନାହାନ୍ତି । ତେଣୁ ଅନୁମାନ କରାଯାଉଛି, ସଂପୃକ୍ତ ଅଂଚଳର ଆରଟିଓଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ନିଜ ଧର୍ମଘଟ ଆଭିମୁଖ୍ୟକୁ ନରମ କରିପାରନ୍ତି ।