ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିବ ବସ୍ : ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହଯାତ୍ରୀଙ୍କୁ ନେଇ ଯିବା ପାଇଁ ପ୍ରସ୍ତୁତ ବସ୍ କର୍ମଚାରୀ

853

କନକ ବ୍ୟୁରୋ : ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିବ ବସ୍ । ଘରୋଇ ବସ୍ ମାଲିକ ସଂଘର ଦାବିକୁ ସରକାର ମାନିନେବା ପରେ ତତ୍ପରତା ପ୍ରକାଶ ପାଇଛି । ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହଯାତ୍ରୀଙ୍କୁ ନେଇ ଯିବା ପାଇଁ ପ୍ରସ୍ତୁତ ବସ୍ କର୍ମଚାରୀ । ସେହିପରି ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି । ଦୁଇ ମାସର ରୋଡ ଟିକସ ଛାଡ କରିବାକୁ ସରକାର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଲୋନ ଡିଫଲଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସରକାର ପଦକ୍ଷେପ ନେବେ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ବସ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହାଛଡା ବସ ମାଲିକମାନଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦେବା ପାଇଁ ବ୍ୟାଙ୍କକୁ ରାଜ୍ୟ ସରକାର ସୁପାରିଶ କରିବେ ।

କରୋନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ୍‌ ଚଳାଚଳକୁ ସରକାର ବନ୍ଦ କରିଥିଲେ। ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଚଳିତମାସ ୧ରୁ ରାଜ୍ୟର ୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ୍‌ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି । ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ୍‌ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତି ଖୋଜୁଛି । କଟକ ଓ ଭୁବନେଶ୍ବରରୁ ମୋଟ ବସ୍‌ର ୬୦ ପ୍ରତିଶତ ଥିବା ବେଳେ ଏହାର ମରାମତି ପାଇଁ ଗ୍ୟାରେଜ୍‌ଗୁଡିକ‌େର ମେକାନିକ୍‌ଙ୍କ ଅଭାବ ଦେଖାଯାଇଛି । କଟକ ମଙ୍ଗୁଳି ଛକରୁ ଭୁବନେଶ୍ବରର ପାତ୍ରପଡ଼ା ମଧ୍ୟରେ ୩୭୦ରୁ ଅଧିକ ଛୋଟ-ବଡ଼ ଗ୍ୟାରେଜ୍‌ ରହିଛି। ମାତ୍ର କରୋନା ପାଇଁ ଏଠାରେ କାମ କରୁଥିବା ମେକାନିକ୍‌ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଛନ୍ତି ।

ସେପଟେ ପ୍ରତି ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରି ଚାର୍ଜ କରିବା ପାଇଁ ୪୮ ଘଣ୍ଟାରୁ ଅଧିକ ସମୟର ଆବଶ୍ୟକ ରହିଛି । ବସ୍‌ଗୁଡ଼ିକ ଛିଡ଼ା ହୋଇ ରହିଥିବାରୁ ଏବେ ଟାୟାର ଓ ଟ୍ୟୁବ୍‌ର ମରାମତି, କ୍ଲଜ୍‌ ଓ ବ୍ରେକ୍‌‌ରେ ନୂଆ ରବର, ରେଗୁଲେଟରେ କୁଲନ୍‌ ପଡିବା ସହିତ ମୋବିଲ୍‌, ଏସି‌ରେ ଗ୍ୟାସ ଫିଲିଂ ଓ ମରାମତି, ଇଲେକ୍ଟ୍ରିକ୍‌ କାମ ଆଦିର ମରାମତି ଆବଶ୍ୟକ କରୁଛି । ତେବେ ଗ୍ୟାରେଜ୍‌ଗୁଡିକରେ ମେକାନିକ୍‌ ଓ ଶ୍ରମିକ ନଥିବାରୁ ଏବେ ବସ୍‌ ମରାମତି ପାଇଁ ସମସ୍ୟା ଦେଖାଯାଇଛି ।