ରାସ୍ତାକୁ ଓହ୍ଲାଇଲେ ଘରୋଇ ବସ କର୍ମଚାରୀ ସଂଘ । କହିଲେ, ଲକଡାଉନରେ ମାଲିକଙ୍କ ପାଇଁ ସୁବିଧା ଅଛି, ହେଲେ ଆମ ପରିବାର ଚଳିବ କେମିତି ।

558

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ବେକାର ହୋଇ ଘରେ ବସିଛନ୍ତି ଘରୋଇ ବସର ଶହ ଶହ ଡ଼୍ରାଇଭର ଓ ହେଲପର । ରୋଜଗାର ନାହିଁ, ପରିବାର ଚଳାଇବା କଷ୍ଟ ହୋଇପଡୁଛି । ଲକଡାଉନ ପରେ ଶ୍ରମିକ, ଦିନ ମଜୁରିଆଙ୍କୁ ସହାୟତା ଦିଆଯାଇଛି । ହେଲେ ଡ୍ରାଇଭର ହେଲପରଙ୍କୁ କୌଣସି ସୁବିଧା ମିଳି ନାହିଁ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ଘରୋଇ ବସ କର୍ମଚାରୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି ।

କରୋନା କାଳରେ ଗାଡ଼ି ମାଲିକଙ୍କ ପାଇଁ ସୁବିଧା ଅଛି । ଟିକସ୍ ଛାଡ଼ ହେଉଛି, କିସ୍ତି ଦେବାର ବାଟ କରାଯାଉଛି । ହେଲେ ଗାଡ଼ିର କାମ କରୁଥିବା ଡ୍ରାଇଭର, ହେଲପରଙ୍କ ପାଇଁ କିଛି ନାହିଁ । ଗାଡ଼ି ଚାଲୁନି କହି ମାଲିକମାନେ ଦରମା ଦେବାର ଅସମର୍ଥ କହି ହାତ ଟେକି ଦେଇଛନ୍ତି । ହେଲେ ଏମାନଙ୍କର ପରିବାର ଚଳିବ କେମିତି?

ଗତବର୍ଷ ଲକଡାଉନରେ ପ୍ରବାସୀଙ୍କୁ ଘରେ ପହଂଚାଇବାରେ ବଡ ଭୂମିକା ତୁଳାଇଥିଲେ ଡ୍ରାଇଭର, ହେଲପର । ଏପରିକି ପ୍ରବାସୀଙ୍କୁ ନେବା, ଆଣିବା କରି କେତେକ କରୋନାରେ ସଂକ୍ରମିତ ମଧ୍ୟ ହୋଇଥିଲେ । ହେଲେ ନା ଗତ ବର୍ଷ ଲକଡାଉନ୍ ତାଙ୍କୁ ସରକାରୀ ସହାୟତା ମିଳିଥିଲା ନା ଚଳିତ ବର୍ଷ ତାଙ୍କୁ କିଛି ମିଳିଛି ।