କନକ ବ୍ୟୁରୋ : ଭାରତୀୟ ଦଳରୁ ବାଦ ପଡିଥିବା ଷ୍ଟାର ଓପନର ବ୍ୟାଟର ପୃଥ୍ୱୀ ସଙ୍କ ଧୂଆଁଧାର ବ୍ୟାଟିଂ । ଏହି ଇନିଂସ ବଳରେ ସେ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ୨୩ ବର୍ଷୀୟ ପୃଥ୍ୱୀ ସ ନିଜର ବ୍ୟାଟିଂ ବଳରେ ବିସିସିଆଇର ଚୟନକର୍ତ୍ତାଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଚଳିତ ରଣଜୀ ସିଜନରେ ସେ ଏହି ସଫଳତା ହାସଲ କରିଛନ୍ତି ।

Advertisment

ରଣଜୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ପୃଥ୍ୱୀ ଆସାମ ବିପକ୍ଷରେ ଏକ ମ୍ୟାଚରେ ୩୭୯ ରନ ସଂଗ୍ରହ କରିଛନ୍ତି । ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ତେବେ ସେ ୪ ଶହ ରନର ଲକ୍ଷ୍ୟ ହାସଲ କରିପାରିନାହାନ୍ତି । ଆସାମର ରିଆନ ପରାଗ ତାଙ୍କୁ ଆଉଟ କରିଥିଲେ ।

ଆଉଟ ହେବା ପୂର୍ବରୁ ଭାରତୀୟ ପ୍ରଥମ ଶ୍ରେଣୀ ଏବଂ ରଣଜୀ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳୀ ହୋଇଛନ୍ତି । ସେ ଏହିକ୍ରମରେ ସଞ୍ଜୟ ମାଞ୍ଜରେକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଞ୍ଜୟ ୧୯୯୧ରେ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ପକ୍ଷରୁ ଖେଳି ୩୭୭ ରନ ସଂଗ୍ରହ କରିଥିଲେ ।

କହିରଖିବାକୁ ଚାହିଁବୁ ଯେ ଥରେ ମାତ୍ର କୌଣସି ଖେଳାଳୀ ଏହି ଫର୍ମାଟରେ ୪ ଶହ ରନର ଲକ୍ଷ୍ୟ ହାସଲ କରିପାରିଛନ୍ତି । ଏହି ରେକର୍ଡ ମହାରାଷ୍ଟ୍ରର ବିବି ନିମ୍ବାଲକରଙ୍କ ନାଁରେ ରହିଛି । ୧୯୪୮ ମସିହା ରଣଜୀ ସିଜିନରେ ସେ କାଠାଆୱାଡ ବିରୋଧରେ ୪୪୩ ରନ ସଂଗ୍ରହ କରିଥିଲୋ ଚଳିତ ଆସାମ ବିପକ୍ଷ ମ୍ୟାଚରେ ପୃଥ୍ୱୀ ୩୮୩ ବଲରେ ୩୭୯ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ୪ଟି ଛକା ୪୯ଟି ଚୌକା ସାମିଲ ରହିଥିଲା । ତାଙ୍କ ଷ୍ଟ୍ରାଇକ ରେଟ୍ ୯୮.୯୬ ରହିଥିଲା ।