ବିଜେଡିରେ ୧୦୦ରୁ ଅଧିକ ବିଭୀଷଣ ବାହାରିବେ, ରାବଣ ରାଜ୍ୟ ଶେଷ କରିବାକୁ ଧର୍ମର ସାଥ୍ ଦେବେ । ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କଲା ପୃଥ୍ୱୀରାଜଙ୍କ ବୟାନ । 

185

କନକ ବ୍ୟୁରୋ : ବିଜେଡିରେ ଅଛନ୍ତି ୧୦୦ରୁ ଅଧିକ ବିଭୀଷଣ । ଯେଉଁମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେଭଳି ବିଜେଡି ନେତା ଏବେ ବିଜେପି ସହ ସମ୍ପର୍କରେ ଥିବା କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏହାସହ ପୃଥ୍ୱୀରାଜ କହିଛନ୍ତି, ବିଜେଡି ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି  । ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା  । ଏବେ ବିଜେଡ଼ିରେ ଏବଂ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି  । ଏହାକୁ ଶେଷ କରିବାକୁ ବିଜେଡିରୁ ୧୦୦ରୁ ଉର୍ଦ୍ଧ୍ବ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ ଏବଂ ଧର୍ମର ସାଥ ଦେବେ  ।  ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ  ।

ଏହାସହ ପୃଥ୍ୱୀରାଜ କହିଛନ୍ତି,  ରାଜ୍ୟ ସଭାପତିଙ୍କ କଥାରେ ପୂରା ସତ୍ୟତା ଅଛି  । ବିଜେଡିର ୮୦ ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି  ।  କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି  ।  ଡ଼ିସଇଣ୍ଟିଗ୍ରେସନର ପ୍ରକ୍ରିୟା ବିଜେଡ଼ିରେ ଆରମ୍ଭ ହୋଇସାରିଛି  । ଆଗାମୀ ଦିନରେ ନୂଆ ଉଦାହରଣ ସୃଷ୍ଟି ହେବ  । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ଜଡ଼ିତ ଅଛନ୍ତି । ଏଭଳି କହି ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ପୃଥ୍ୱୀରାଜ ।