ଜେଲରୁ ରୋଜଗାର କରୁଛନ୍ତି ବିଚାରାଧିନ ବନ୍ଦୀ: ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାର ସାମଗ୍ରୀ

151

କନକ ବ୍ୟୁରୋ: ଜେଲରେ ଥିବା ଅନ୍ତେବାସୀଙ୍କ ଲୁକାୟିତ ପ୍ରତିଭାର ବିକାଶ କରିବା ସହ ସେମାନେ ସ୍ୱାବଲମ୍ବୀ ହେବେ । ଜେଲରୁ ମୁକୁଳିବା ପରେ କେମିତି ରୋଜଗାର କରିବେ । ଅପରାଧିକ ମାନସିକତାକୁ ଦୂରେଇ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, ସେଥିପାଇଁ ଯାଜପୁର ଉପକାରାଗାର ନିଆରା ଉଦ୍ୟମ କରିଛି । ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦେଇ ବିଭିନ୍ନ ପ୍ରକାର ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରାଉଛନ୍ତି ।

କଏଦୀ ବି କରୁଛନ୍ତି ରୋଜଗାର । ବିଚାରଧୀନ କଏଦୀମାନଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଜେଲ କର୍ତୃପକ୍ଷ । ଏହାଦ୍ୱାରା ଦୁଇଟି କଥା ହୋଇପାରିଛି, କୌଣସି କାରଣରୁ ଅପରାଧ ଦୁନିଆରେ ପାଦ ଦେଇଥିବା ବିଚାରଧୀନ କଏଦୀଙ୍କ ମାନିସକତାରେ ପରିବର୍ତନ ହେବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ଦଣ୍ଡମୁକ୍ତ ହୋଇ ଜେଲରୁ ବାହାରିବା ପରେ ନିଜେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିପାରିବେ । ନିନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଇ ଯେମିତି କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାକୁ ଲକ୍ଷ୍ୟ କରି ଡଙ୍ଗା ତିଆରି କରିଥିଲେ ଯାଜପୁର ଉପକାରାଗାରରେ ଥିବା ଅନ୍ତେବାସୀ ।

ଯାଜପୁର ଜେଲ ସମ୍ମୁଖରେ ଖୋଲିଥିବା ବଜାରରେ ବିକ୍ରି ହୋଇଥିଲା ସେମାନଙ୍କ ହାତ ତିଆରି ଡଙ୍ଗା । କାଗଜ, ସୋଲରେ ପ୍ରସ୍ତୁତ ଡ଼ଙ୍ଗାର ମୁଲ୍ୟ ୧୦ ଟଙ୍କା ଠାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ଜେଲ କର୍ତୁପକ୍ଷଙ୍କ ଉଦ୍ୟମରେ ଅନ୍ତେବାସୀ ଏପରି ନିଆରା ପ୍ରସ୍ତୁତିକୁ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶଂସା କରିଛନ୍ତି ।

ଡଙ୍ଗା ପ୍ରସ୍ତୁତରେ ସୀମତି ନାହିଁ କଏଦୀଙ୍କ ପ୍ରତିଭା । ପୂର୍ବରୁ ଷ୍ଟେଟ ବ୍ୟାଙ୍କ ସହଯୋଗରେ ଅନ୍ତେବାସୀ ଫିନାଇଲ, ମହବତୀ, ହ୍ୟାଣ୍ଡୱାସ, ଉଜାଲା ଆଦି ପ୍ରସ୍ତୁତ କରି ଆସୁଛନ୍ତି । ସେଗୁଡିକ ମଧ୍ୟ ଷ୍ଟଲ ଜରିଆରେ ବିକ୍ରି କରାଯାଉଛି ।

ଅପରାଧୀଙ୍କ ମାନସିକତାରେ ପରିବର୍ତନ ପାଇଁ ଯାଜପୁର ଜେଲ କର୍ତୃପକ୍ଷଙ୍କ ଏପରି ଉଦ୍ୟମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ଅପରାଧୀ ଦୋଷ ମୁକ୍ତ ହୋଇ ଜେଲରୁ ବାହାରିବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ନୂଆ ଦିଶା ଦେଖାଇବ ।