କନକ ବ୍ୟୁରୋ : ସାଧାରଣତଃ କଏଦୀ ମାନଙ୍କୁ ଜେଲରେ ରହି ସଜା କାଟୁଥିବାର ଦେଖିଥିବେ । ହେଲେ କେବେ କଏଦୀମାନେ ଜେଲରୁ ଆସି ବ୍ୟାଣ୍ଡ ପାର୍ଟି ବଜାଉଥିବାର ଦେଖିନଥିବେ । କିନ୍ତୁ ଏଠି ଘଟିଛି କିଛି ଏଭଳି ଏକ ଘଟଣା । ଏଠାରେ କଏଦୀମାନେ କେବଳ ବାଜା ବଜାଉନାହାନ୍ତି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାଜଧାନୀ ଲଖ୍ନୌରେ । ଲଖ୍ନୌ ଜେଲରେ ସଜା କାଟୁଥିବା ଏହି କଏଦୀମାନେ ନିଜର ଏକ ବ୍ୟାଣ୍ଡ ପାର୍ଟି କରିଛନ୍ତି । ଲୋକମାନେ ବିବାହ ଉତ୍ସବ ପାଇଁ ଏହି କଏଦୀଙ୍କ ବ୍ୟାଣ୍ଡ ପାର୍ଟିକୁ ବରାଦ ଦେଇଥାନ୍ତି । ଆଉ କଏଦୀମାନେ ବିବାହ ଉତ୍ସବରେ ଯୋଗ ଦେଇ ବ୍ୟାଣ୍ଡ ପାର୍ଟି ବଜାଇଥାନ୍ତି ।
ଲଖ୍ନୌର ଗୋସାଇଁଗଞ୍ଜ ଥାନା ଅଞ୍ଚଳରେ ଅବସ୍ଥିତ ଆଦର୍ଶ ଜେଲ । ଏହି ଜେଲରେ ପ୍ରାୟ ୪୪୧ ଜଣ କଏଦୀ ରହିଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ଏଠାରେ ପ୍ରାୟ ୧୦ ବର୍ଷ ହେଇଯିବ କଏଦୀମାନେ ବ୍ୟାଣ୍ଡପାର୍ଟି କରି ବିଭିନ୍ନ ବିବାହ ଉତ୍ସବରେ ଯୋଗ ଦେଇଥାନ୍ତି । ଏହି ବ୍ୟାଣ୍ଡ ପାର୍ଟିରେ ୧୨ ଜଣ କଏଦୀ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମାଷ୍ଟର ଅଛନ୍ତି ଯିଏକି ବିବାହ ଉତ୍ସବହ ବରାଦ ନେବାକୁ ଯାଇଥାନ୍ତି । ଆଉ ଏଥିରୁ ମିଳୁଥିବା ଟଙ୍କାକୁ ସେମାନେ ନିଜ ପରିବାରର ଖର୍ଚ୍ଚ ପାଇଁ ପଠାଇଥାନ୍ତି ।
କୁହାଯାଉଛି ଯେ ବ୍ୟାଣ୍ଡ ପାର୍ଟିରେ ସାମିଲ ଥିବା ସବୁ କଏଦୀ ଆଜୀବନ କାରାବାସରେ ରହିଛନ୍ତି । ଏହି କଏଦୀମାନେ ବିଭିନ୍ନ ହତ୍ୟାକାଣ୍ଡ ଭଳି ଅପରାଧରେ ଜେଲରେ ସଜା କାଟୁଛନ୍ତି । ତେବେ କରୋନା ଯୋଗୁଁ ଚଳିତ ବର୍ଷ ସେମାନଙ୍କୁ ଏତେ ବୁକିଂ ମିଳିନଥିଲା । ହେଲେ ଏବେ ବି ସେମାନଙ୍କ ଆଶା ରହିଛି ଆଗକୁ ସେମାନେ ଆହୁରି ଭଲି କରି ବ୍ୟାଣ୍ଡପାର୍ଟିକୁ ଆଗକୁ ନେବେ ।
ଏହି ବ୍ୟାଣ୍ଡ ପାର୍ଟି ବହୁତ କମ ଟଙ୍କାରେ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ଏମାନେ ଘଣ୍ଟାଏ ପାଇଁ ଅଢେଇ ହଜାର ଟଙ୍କା ନିଅନ୍ତି । ଜେଲର ସ୍ୱତନ୍ତ୍ର ବସ ଯୋଗେ ଏମାନଙ୍କୁ ବିବାହ ଉତ୍ସବକୁ ନିଆଯାଏ । ଆଉ ସେଠାରେ ତାଙ୍କ ପାଇଁ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ଥାନ୍ତି । ବିବାହ ଉତ୍ସବ ଶେଷ ହେବା ପରେ ସେମାନଙ୍କୁ ପୁଣି ବସରେ ଜେଲକୁ ଅଣାଯାଇଥାଏ ।
ଜେଲରେ ଆଜୀବନ କାରାବାସରେ ରହୁଥିବା କଏଦୀମାନଙ୍କୁ ଶ୍ରମ କରି ଟଙ୍କା ରୋଜଗାର କରିବାକୁ ବିଭିନ୍ନ ସୁଯୋଗ ଦିଆଯାଇଥାଏ । ଆଉ ଏହି ବ୍ୟାଣ୍ଡ ପାର୍ଟି ମାଧ୍ୟମରେ ମଧ୍ୟ ଏହି କଏଦୀମାନେ ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଛନ୍ତି ଜେଲ ଡିଜି ଆନନ୍ଦ କୁମାର ।