ମହିଳା ବେଶରେ କଏଦୀ ଚମ୍ପଟ, ଶୌଚ ପାଇଁ ଯାଇ ବଡ ମେଡିକାଲରୁ ଛୁ’

176

କନକ ବ୍ୟୁରୋ: ପୁଣି ଥରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ମେଡିକାଲରୁ ଜଣେ କଏଦୀ ଚମ୍ପଟ ମାରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଏଦୀ ଜଣଙ୍କ ମହିଳା ବେଶରେ ଶାଢ଼ୀ ପିନ୍ଧି ଫେରାର ହୋଇଯାଇଛି । ଚମ୍ପଟ ମାରିଥିବା କଏଦୀର ନାଁ ସାଜନ ଦାସ । ସେ ଏକ ଚୋରି ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ବିଚାରଧୀନ ବନ୍ଦୀ ଭାବେ ଥିଲା । ହେଲେ, ପେଟ ରୋଗ ସହିତ ବାତ ସମସ୍ୟା ଯୋଗୁଁ ଗତ ୨୯ତାରିଖରେ ଏସସିବିର ମେଡିସନ୍ ୱାର୍ଡରେ ସାଜନକୁ ଭର୍ତି କରାଯାଇଥିଲା ।

ଗୁରୁବାର, ସମୟ- ସକାଳ ୧୦ଟା । ଶୌଚ ହେବା ପାଇଁ ୱାର୍ଡରେ ଥିବା ଶୌଚାଳୟକୁ ଯାଇଥିଲା ସାଜନ । ଆଉ ତାପରେ ୱାର୍ଡକୁ ଫେରିନଥିଲା । ବହୁ ଖୋଜାଖୋଜି ପରେ ଜଣାପଡିଥିଲା ଅଭିଯୁକ୍ତ ସାଜନ ହସ୍ପିଟାଲରୁ ଚମ୍ପଟ ମାରିଛି । କୁହାଯାଉଛି, ଶୌଚାଳୟରେ ପଡିଥିବା କୌଣସି ମହିଳାଙ୍କ ଶାଢ଼ୀ ପିନ୍ଧି ସାଜନ ଫେରାର ହୋଇଯାଇଛି । ତେବେ, ସାଜନକୁ ଚୌଦ୍ୱାର ଜେଲର ତିନି ଜଣ ୱାର୍ଡର ଜଗିଥିଲେ ବି ସମସ୍ତଙ୍କୁ ଚକମା ଦେଇ ଖସିଯାଇଛି ସାଜନ । ଏନେଇ ମଙ୍ଗଳବାଗ ଥାନାରେ ମାମଲା ରୁଜୁ ହେବା ପରେ ଖୋଜାଖୋଜି ଆରମ୍ଭ କରିଛି କଟକ ପୋଲିସ । ତେବେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତିି କଟକ ଡିସିପି ।

ପ୍ରଶ୍ନ ଉଠୁଛି,
– ତିନି ଜଣ ସୁରକ୍ଷାକର୍ମୀ ଜଗିଥିଲେ ବି ସାଜନ କେମିତି ଚମ୍ପଟ ମାରିଲା
– ସାଜନ ଫେରାର ହେବା ପଛରେ ଆଉ କାହାର ହାତ ଅଛି କି?
– ହସ୍ପିଟାଲରୁ ଫେରାର ହେବା ପାଇଁ କେହି ସହଯୋଗ କରିଥିଳେ କି?

ତେବେ ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ, ସାଜନ ଗାଧୋଉଥିବା ସମୟରେ ପାଖରେ କିଛି ମହିଳା ଗାଧୋଉଥିଲେ । ତେଣୁ ସୁରକ୍ଷାକର୍ମୀ ଶୌଚାଳୟ ପାଖରୁ ଦୂରକୁ ପଳାଇ ଆସିଥିଲେ । ଏହାର ସୁଯୋଗ ନେଇ, ସାଜନ ଖସିଯାଇଛି । ସାଜନର ଘର ଜଗତସିଂହପୁର ଜିଲ୍ଳାରେ । କିନ୍ତୁ ଗତ ୨୭ ତାରିଖରେ ସେ ନିଆଳି ଅଞ୍ଚଳର ଜଣଙ୍କ ଘରୁ ଚୋରି କରିବା ଅଭିଯୋଗରେ ଗିରଫ ହୋଇଥିଲା । ତାପରେ ଚୌଦ୍ୱାର ଜେଲକୁ ପଠାଇ ଦେଇଥିଲା ପୋଲିସ ।