କନକ ବ୍ୟୁରୋ: କଏଦୀଙ୍କୁ କରୋନା ଭୟ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଅନ୍ତେବାସୀଙ୍କୁ ଘାରିଛି କରୋନା ସଂକ୍ରମଣର ଭୟ । ଜେଲ ଭିତରୁ ଜଣେ କଏଦୀ କନକ ନ୍ୟୁଜ୍ର ପ୍ରତିନିଧିଙ୍କୁ ଫୋନ୍ କରି ଅନୁରୋଧ କରିଛନ୍ତି ଯେ ସେମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦିଅନ୍ତୁ । ଅତି ବ୍ୟସ୍ତ ହୋଇ କଏଦୀ ଜଣକ ଫୋନରେ କହିଛନ୍ତି ଯେ, ମଣ୍ଡଳ କାରାଗାର ଭିତରେ ସଂକ୍ରମଣ ବ୍ୟାପୁଛି । ଏବଂ ଏଥିପ୍ରତି କାହାର ଦୃଷ୍ଟି ନାହିଁ । କଏଦୀ ଜଣକ କହିଛନ୍ତି ଗତକାଲି ପ୍ରାୟ ୩୦ଜଣଙ୍କର ସ୍ୱାବ ନିଆଯାଇଥିଲା ଏବଂ ସେଥିମଧ୍ୟରୁ ୧୭ଜଣଙ୍କର ପଜିଟିଭ ଆସିଥିବା ନେଇ ସେମାନେ ଖବର ପାଇଛନ୍ତି ।
ତେବେ ଏନେଇ ସେମାନଙ୍କୁ କିଛି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । କାରାଗାରରେ ୧୫୦ରୁ ଅଧିକ ଜଣଙ୍କୁ ଜର କାଶ ଭଳି ଲକ୍ଷଣ ଅଛି ଏବଂ ସେଠାରେ ହଜାରେରୁ ଅଧିକ କଏଦୀ ରହୁଥିବାରୁ ସଂକ୍ରମଣ ବ୍ୟାପିବାର ଭୟ ରହିଛି । କଏଦୀଙ୍କ କଥା କେତେ ସତ ତାହା ତ ଭିନ୍ନ କଥା, କିନ୍ତୁ ସେଠାରେ ଯେ ଏକ ଭୟର ବାତାବରଣ ଖେଳିଯାଇଛି ଏଥିରେ ସନ୍ଦେହ ନାହିଁ ।