ଜୟପୁର ଜେଲରୁ ଅସିଲା ଅଭାବନୀୟ ଚିତ୍ର । ଜେଲ ଭିତରେ ଚାଲିଛି ମଦ ମାଂସର ଆସର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ?

262

କନକ ବ୍ୟୁରୋ : ଅନେକ ସମୟରେ କଏଦୀଙ୍କ ଜୀବନରେ ସଂସ୍କାର ଆଣିବାକୁ ବିଭିନ୍ନ ପ୍ରକାର ଯୋଜନା କରି ପ୍ରଶଂସିତ ହୋଇଥିବା ଜୟପୁର କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ଜେଲ ଭିତରେ ମଉଜ କରୁଛନ୍ତି କଏଦୀ । ମଦ୍ୟାପାନ ସାଙ୍ଗକୁ ଚାଲିଛି ଭୋଜିଭାତର ଆସର । ଜେଲ ଭିତରେ ବିଚାରଧିନ କଏଦୀଙ୍କ ଭୋଜିର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବା ପରେ ଜୟପୁର ଉପକାରାଗାରରେ ଛାପା ମାରିଥିଲେ ଜୟପୁର ପୁଲିସ । ଏସପିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ୍ ଓ ଏକ ପ୍ଲାଟୁନ୍ ଫୋର୍ସ ରବିବାର ଦିନ ଚଢାଉ କରି ନଗଦ ଟଙ୍କା, ମୋବାଇଲ୍ ଓ ଜିମ୍ ସାମଗ୍ରୀ ଜବତ କରିଛି ।
ସୋସିଆଲ ମିଡିଆରେ ଘୁରି ବୁଲୁଛି ଜୟପୁର ଉପକାରାଗାରର ଫଟୋ । ବିଚାରଧିନ କଏଦୀ ଜେଲ ଭିତରେ ମଦ୍ୟପାନ ସହ ଭୋଜି କରୁଥିବା ବେଳର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଆକ୍ସନ ମୋଡରେ କୋରାପୁଟ ପୁଲିସ । ଏସପିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ୍, ଏକ ପ୍ଳାଟୁନ ପୋଲିସ ଫୋର୍ସ ସହ ଜୟପୁର ଜେଲରେ ଚଢ଼ାଉ କରିଥିଲେ । ଭୋର ୪ଟାରୁ ଜେଲ ଭିତରେ ଖାନ ତଲାସ ହୋଇଥିଲା । ଦୀର୍ଘ ୫ ଘଂଟାର ଚଢାଉରେ ଜେଲ ଭିତରୁ ୧୮ ହଜାର ଟଙ୍କା, ଗୋଟିଏ ମୋବାଇଲ, ଜିମ୍ ସାମଗ୍ରୀ, ଲୁହା ରଡ଼ ଏବଂ କିଛି ରୋଷେଇ ସାମଗ୍ରୀ ଜବତ ହୋଇଛି । ତେବେ ଜେଲ ଭିତରେ ଅସାମାଜିକ କାରବାର ଚାଲିଥିବା ନେଇ ସୂଚନା ମିଳିବା ପରେ ଚଢାଉ କରାଯାଇଥିବା କହିଛନ୍ତି କୋରାପୁଟ ଏସପି ।

ଜୟପୁର କାରାଗାରରେ ୨୮୦ ଜଣ ଅନ୍ତେବାସୀ ରହିବା ପାଇଁ ବ୍ୟବସ୍ଥା ରହିଛି । ଏବେ ଏଠାରେ ୪ଶହରୁ ଅଧିକ ବିଚାରଧିନ କଏଦୀ ରହୁଛନ୍ତି । ଅଧିକାଂଶ ରାଜ୍ୟ ବାହାର ଗଂଜେଇ ମାଫିଆ । ତେବେ କେଉଁ ପରିସ୍ଥିତିରେ ଜେଲ ଭିତରକୁ ମୋବାଇଲ୍ ଗଲା ତାର ତଦନ୍ତ ଚାଲିଥିବା କାରାଗାରର ଜେଲର କହିଛନ୍ତି । ଏହାସହ ଜେଲ ଭିତରେ ଭୋଜିଭାତକୁ ଅସ୍ୱିକାର କରିନାହାନ୍ତି ଜେଲର ।