ଏବେ ଦିଆଯିବନି କୋଭିସିଲ୍ଡର ପ୍ରଥମ ଡୋଜ୍ । ଦ୍ୱିତୀୟ ଡୋଜ୍ ଉପରେ ସରକାରଙ୍କ ପ୍ରାଥମିକତା, କେବଳ କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରଥମ ଡୋଜ୍ ।

488

କନକ ବ୍ୟୁରୋ : ଟିକା ନେବାକୁ ଅନାଇ ବସିଛି ଓଡିଶା । କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ରହିଛନ୍ତି । କାରଣ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ପୁରିଗଲାଣି । ସେହିପରି ୪୫ରୁ ୬୦ ବର୍ଷ ମଧ୍ୟରେ ୫ ଲକ୍ଷ ୭୬ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେବା ବାକି ରହିଛି । ପରିସ୍ଥିତିକୁ ଦେଖି କୋଭିସିଲଡ ଟିକାର ପ୍ରଥମ ଡୋଜକୁ ବର୍ତମାନ ପାଇଁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

ଏବେ ଦିଆଯିବନି କୋଭିସିଲ୍ଡର ପ୍ରଥମ ଡୋଜ୍ । ଦ୍ୱିତୀୟ ଡୋଜ୍ ଉପରେ ସରକାରଙ୍କ ପ୍ରାଥମିକତା, କେବଳ କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରଥମ ଡୋଜ୍ । କୋଭିସିଲ୍ଡ ଟିକା ଯୋଗାଣ କମ୍ ହେଉଥିବାରୁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଭୁବନେଶ୍ୱର ବାହାରେ ଯେଉଁ କୋଭିସିଲ୍ଡ ଟିକା ଦିଆଯାଉଛି ସେଥିରେ କଟକଣା କରି କେବଳ ଦ୍ୱିତୀୟ ଡୋଜ୍ ପାଇବାକୁ ଥିବା ଲୋକଙ୍କୁ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମୁନସିପାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଦ୍ୱିତୀୟ ଡୋଜ୍ ନେବା ପାଇଁ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଲୋକ ପ୍ରଥମ ଡୋଜ୍ ନେବାର ୬ ସପ୍ତାହ ବିତିଗଲାଣି । ତେଣୁ ୮ ସପ୍ତାହ ଆଗରୁ ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

ତେବେ ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ ଟିକା ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ତେଣୁ ଭୁବନେଶ୍ୱରରେ ନେଉଥିବା ଦ୍ୱିତୀୟ ଡୋଜ୍ ସହ ପ୍ରଥମ ଡୋଜ୍ ଦିଆଯିବ । ଏଥିସହ ଯେଉଁମାନେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଥିଲେ ସେମାନେ ଏବେ ସରକାରୀ ହସ୍ପିଟାଲରେ ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କରୋନାକୁ ରୋକିବା ପାଇଁ ଏକମାତ୍ର ସଞ୍ଜିବନୀ ହୋଇଥିବାରୁ ଏବେ ଲୋକଙ୍କ ଭିତରେ ଟିକା ନେବାକୁ ଉତ୍କଣ୍ଠା ବଢ଼ି ଚାଲିଛି । ତେବେ ଟିକା ଅଭାବ ଯୋଗୁଁ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି । ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।