ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବଢ଼ିଲା ରାଜନୀତିର ପାରା । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡିକୁ ଅଣ୍ଡାମାଡ । ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ କଂଗ୍ରେସର ଆହ୍ୱାନ

150

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରିବାକୁ ବିରୋଧୀ ପ୍ରସ୍ତୁତ ହେଉଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ଼ରେ ଅଣ୍ଡାମାଡ଼ ହୋଇଛି । ମିଶ୍ରଣ ପର୍ବରେ ଯୋଗ ଦେବାକୁ ଯାଉଥିବା ବେଳେ କଲେଜ ଛକ ନିକଟରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ସହିତ କଳା ପତାକା ପ୍ରଦର୍ଶନ କରିଛି ବିଜେପି । ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗିରଫ ଦାବି କରିଛି ବିଜେପି ।

ଖାଲି ସେତିକି ନୁହେଁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା ଦେଇଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଧାରଣାରେ ସାମିଲ ହୋଇଛନ୍ତି । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୯ ତାରିଖରେ ଯୁବ କଂଗ୍ରେସର ଦିଲ୍ଲୀ ଚଲୋ ଡାକରା ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଳାହାଣ୍ଡି ରାଜନୀତି ସରଗରମ ହେବାରେ ଲାଗିଛି । ଉଭୟ କଂଗ୍ରେସ ଓ ବିଜେପି ରାସ୍ତାକୁ ଓହ୍ଲାଇଛନ୍ତି । କଂଗ୍ରେସ ପକ୍ଷରୁ ମମିତାଙ୍କ ନ୍ୟାୟ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ଜୁନାଗଡ ଠାରୁ ଏକ ବାଇକ ଶୋଭାଯାତ୍ରାରେ ଯାଇ କଲମପୁର, ଜୟପାଟଣା ଓ କୋକସରା ଯାଇ ପ୍ରତିବାଦ ସଭା କରିଛନ୍ତି । ୮ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ଡାକରା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ।

ଏପଟେ ମନ୍ତ୍ରୀଙ୍କୁ ବହିଷ୍କାର ନକରିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି ଚେତାଇ ଦେଇଛନ୍ତି ସାଂସଦ ଜୁଏଲ ଓରାମ । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିକୁ ବ୍ୟାପକ କରିବାକୁ ଉଦ୍ୟମ କରୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେଡି ମଧ୍ୟ ବିରୋଧୀଙ୍କ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଯାଉଛନ୍ତି । ଦିବ୍ୟଶଙ୍କରଙ୍କୁ ନେଇ ବିବାଦ ବଢ଼ୁଥିବାରୁ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେ ମଞ୍ଚରେ ରହିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ ବେଳେ ଶେଷ ମୁୂହୂର୍ତ୍ତରେ କାର୍ଯ୍ୟକ୍ରମରୁ ବାଦ ପଡ଼ିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ।