ସାମୁଦ୍ରିକ ଝଡ ତୌକତେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ 

141

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟ ବାତ୍ୟା ତୌକତେକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି । ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସାମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି, ପାନୀୟ ଜଳ, ଟେଲି ଯୋଗାଯୋଗ, ସ୍ୱାସ୍ଥ୍ୟ ଆଦି ଅତ୍ୟାବଶ୍ୟକ ସେବାର ରକ୍ଷଣା ବେକ୍ଷଣା ପାଇଁ ମଧ୍ୟ କହିଛନ୍ତି ।

ସାମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ହସ୍ପିଟାଲରେ କୋଭିଡ ପରିଚାଳନା, ଟିକାକରଣ, କୋଲ୍ଡ ଚେନ, ଶକ୍ତିର ବ୍ୟାକ ଅପ ଓ ସାମ୍ଭାବ୍ୟ କ୍ଷେତ୍ରରେ ଆବଶ୍ୟକୀୟ ବାକୁ ଔଷଧ ମହଜୁଦ ରଖି ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ମନ୍ତ୍ରାଳୟର ସଚିବ, ଏନଡିଏମଏର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ସାମୁଦ୍ରିକ ବାତ୍ୟା ତୌକତେ ଆଜି ଏକ ସିଭୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଓ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋଆଠାରୁ ୨୯୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ, ମୁମ୍ବାଇଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇରହିଥିଲା । ଏହା ଆଜି ମଧ୍ୟରାତ୍ରି ସୁଦ୍ଧା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଅପରାହ୍ଣ ବୁଲେଟିନରେ କୁହାଯ଼ାଇଛି । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ଇତି ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି । ସେହିପରି ଆସନ୍ତା କାଲିଠାରୁ ପଶ୍ଚିମ ଗୁଜୁରାଟ ଓ ରାଜସ୍ଥାନର କେତେକ ଅଂଚଳରେ ବର୍ଷା ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଓ କେତେକ ସମୟରେ ଏହା ୧୭୫ କିଲୋମିଟର ଟପିପାରେ ଓ ସମୁଦ୍ରରେ ବଡ଼ ବଡ଼ ଲହରି ଉଠିପାରେ ।