ପ୍ରତିପକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍! ଏୟାରଷ୍ଟ୍ରାଇକର ପ୍ରମାଣ ମାଗି ପରାକ୍ରମୀ ଯବାନଙ୍କ ମନୋବଳକୁ ଦୁର୍ବଳ କରୁଛନ୍ତି ବିରୋଧୀ

74

କନକ ବ୍ୟୁରୋ : ସୀମାରେ ଉତେଜନା ଯେତିକିି ବଢ଼ିଚାଲିଛି, ସେତିକି ଉଷୁମ ହୋଇଛି ଦେଶର ରାଜନୈତିକ ବାତାବରଣ । ଗୋଟିଏ ପଟେ ସର୍ଜିକାଲ ଷ୍ଟ୍ରାଇକର ସଫଳତା ବଖାଣି ଭୋଟରଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ଶାସକ ଦଳ, ଅନ୍ୟପଟେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ସରକାରଙ୍କୁ ଘେରୁଛି ବିରୋଧୀ । ତେବେ ଏସବୁ ଭିତରେ ନିର୍ବାଚନ ରାଲିରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପଟନା ମଂଚରୁ ପ୍ରତିପକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍ । ଅତି କଡା ଭାଷାରେ କଂଗ୍ରେସକୁ ମୋଦିଙ୍କ ସମାଲୋଚନା । କେନ୍ଦ୍ର ସରକାର ଆତଙ୍କବାଦ ବିରୋଧରେ ଲଢେଇ କରୁଛନ୍ତିା ହେଲେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ଆମର ପରାକ୍ରମୀ ଯବାନଙ୍କ ଉପରେ ସନ୍ଦେହ କରି ବୟାନ ଦେଉଛନ୍ତି । ସୀମାପାର ଏୟାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି । ଏହା ସେନାର ମନୋବଳକୁ ଦୁର୍ବଳ କରୁଛି । ବିରୋଧୀଙ୍କ ବୟାନ ଓ ଫଟୋ ପାକିସ୍ତାନ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି ବୋଲି ମୋଦି କହିଛନ୍ତି ।

ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନା କରିଥିବା ଅପରେସନର ପ୍ରମାଣ ମାଗିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଇନ୍ଦୋରରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ଲାଡେନକୁ ହତ୍ୟା କରିବା ପରେ ତାର ଭିଡିଓ ଜାରି କରିଥିଲା ଆମେରିକା । ସମାନ ଢଙ୍ଗରେ ବାୟୁସେନା ଆକ୍ରମଣରେ ପାକିସ୍ତାନର କେତେ କ୍ଷତି ହୋଇଛି, ସେନେଇ ସାଟେଲାଇଟ ଚିତ୍ର ସର୍ବସାଧାରଣରେ ପ୍ରକାଶ କରନ୍ତୁ ମୋଦି ସରକାର ।

ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରମାଣ ମାଗିଥିଲେ । ବାୟୁସେନାର ବୋମା କେଉଁଠି ପଡିଲା । ଏହା ଟାର୍ଗେଟକୁ ହିଟ କରିଥିଲା ନା ନାହିଁ । ଏବଂ କେତେ କ୍ଷତି କରିଛି, ତାର ପ୍ରମାଣ ଦେବା ପାଇଁ ଦାବି କରିଥିଲେ ମମତା । ତେଣୁ ବିରୋଧୀଙ୍କ ଉପରେ ଖୁବଜୋରରେ ବର୍ଷିଛନ୍ତି ମୋଦି । ଦେଶ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବାବେଳେ, ବିରୋଧୀ ଦିଲ୍ଲୀରେ ବୈଠକ କରି ନିନ୍ଦା ପ୍ରସ୍ତାବ ପାରିତ କରୁଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ରବିବାର ରାହୁଲ ଗାନ୍ଧିଙ୍କ ନିର୍ବାଚନୀ କ୍ଷେତ୍ର ଆମେଠିରେ ମଧ୍ୟ ଇଣ୍ଡୋ-ରୁଷିଆ ରାଇଫଲ ଫ୍ୟାକଟ୍ରିର ଭିତିପ୍ରସ୍ତର ସ୍ଥାପନ କରି କଂଗ୍ରେସକୁ କଡା ସମାଲୋଚନା କରିଥିଲେ ମୋଦି । ଭାରତର ପ୍ରତିରକ୍ଷା ଆବଶ୍ୟକତାକୁ ପୂର୍ବ ସରକାର ଅଣଦେଖା କରିଆସିଥିବା ସିଧାସିଧା ଅଭିଯୋଗ ବାଢିଥିଲେ ।  ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଠିକଣାକୁ ବିସ୍ଫୋରଣରେ ଉଡାଇ ଦେଇଥିଲା ଭାରତୀୟ ବାୟୁସେନା । ହେଲେ ବିରୋଧୀ ଏହାର ପ୍ରମାଣ ମାଗୁଥିବାରୁ ଜୋରଦାର ହୋଇଛି ରାଜନୈତିକ ଆକ୍ଷେପ, ପ୍ରତିଆକ୍ଷେପ ।