୮୦ କୋଟି ଲୋକଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନଭେମ୍ବର ଶେଷ ଯାଏଁ ମାଗଣା ରାସନ: ଆସନ୍ତା ୫ ମାସ ପର୍ଯ୍ୟନ୍ତ ମୁଣ୍ଡ ପିଛା ମାଗଣାରେ ଦିଆଯିବ ୫ କେଜି ଡାଲି, ଚାଉଳ କିମ୍ବା ଗହମ

2,415

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ନଭେମ୍ବର ଯାଏଁ ମିଳିବ ମାଗଣା ରାସନ । ଗରିବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସ ୫କେଜି ଚାଉଳ କିମ୍ବା ଅଟା ଓ ୧ କେଜି ଡାଲି ଯୋଗାଇ ଦିଆଯିବ । ଦେଶରେ ମହାମାରୀ ବ୍ୟାପିବା ପରଠାରୁ ୩ମାସ ହେଲା ସରକାର ମାଗଣା ରାସନ ଯୋଗାଇ ଆସୁଛନ୍ତି ଯାହାକୁ ବଢାଇ ଏବେ ନଭେମ୍ବର ଯାଏଁ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆଗକୁ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଗତ ତିନି ମାସର ଖର୍ଚ୍ଚ ମିଶାଇଲେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ମୋଦି । ତେବେ ମହାମାରୀ ପରି ସମୟରେ ଗରିବଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସକ୍ଷମ ହୋଇଥିବାରୁ ପରିଶ୍ରମୀ ଚାଷୀ ଓ ଟିକସଦାତାଙ୍କୁ ଶ୍ରେୟ ଦେଇଛନ୍ତି  ପ୍ରଧାନମନ୍ତ୍ରୀ  ମୋଦି ।

ତେବେ ମହାମାରୀ ବ୍ୟାପୁଥିବା ବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ କରୋନା ନେଇ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଲାବନ୍ଦ ସମୟରେ ଲୋକେ କଟକଣାକୁ ଅଧିକ ମାନୁଥିବା ସହ ସତର୍କ ରହୁଥିଲେ କିନ୍ତୁ ଏବେ ଅନଲକ୍ ୨ରେ ଲୋକେ ସତର୍କ ରହୁନାହାନ୍ତି ବୋଲି କହିଛନ୍ତି ମୋଦି । ତେଣୁ ଆଗକୁ ବର୍ଷା ଦିନ ଥିବାରୁ ଥଣ୍ଡା, ଜ୍ୱର ଓ କାଶ ଅଧିକ ଆକ୍ରାନ୍ତ କରିବ ତେଣୁୁ ସତର୍କ ରହି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ମୋଦି ।

ସେହିପରି ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତେ ମିଳିମିଶ ଦେଶର ଅର୍ଥନୀତି ପାଇଁ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୋଦି । ଏହାସହ ଲୋକାଲ ଫର ଭୋକାଲ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।