କନକ ବ୍ୟୁରୋ: ସମୟ ଯେତିକି ଗଡୁଛି, ଉତ୍କଣ୍ଠା ସେତିକି ବଢୁଛି । ପ୍ରସ୍ତୁତ ହୋଇ ରହିଛି ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଯେଉଁଠି ବିଶ୍ୱ ବିଜୟୀ ହେବା ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

Advertisment
  • ଆସନ୍ତାକାଲି ବିଶ୍ୱକପ୍ ମହାସମର
  • ଆରମ୍ଭ ହେଲା କାଉଣ୍ଟଡାଉନ୍

ଲକ୍ଷେ ୩୦ ହଜାର ଦର୍ଶକଙ୍କ ଆଗରେ ହେବ ଫାଇନାଲ୍ ଫାଇଟ୍ । ଫାଇନାଲକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ବିସିସିଆଇ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ଭାରତରେ ପହଁଚିସାରିଲେଣି । ଖାଲି ସେତିକି ନୁହେଁ, ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ଯୁବରାଜ ସିଂହଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଦେଖିବେ ଦର୍ଶକ । ବଲିଉଡର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କ ମନୋରଞ୍ଜନ କରିବେ । ଟସ୍ ପୂର୍ବରୁ ନାଚ, ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ ।

ବିଶ୍ୱକପ ପାଇଁ ବଡ଼ ଆୟୋଜନ

  • ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ
  • ପହଁଚିଛନ୍ତି ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ
  • ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି
  • ଉପସ୍ଥିତ ରହିବେ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟ
  • ଏୟାର ସୋ’, ଲେଜର ସୋ’ ଓ ଡ୍ରୋନ୍ ସୋ’ର ଆୟୋଜନ
  • ଟସ୍ ପୂର୍ବରୁ ନାଚ, ଗୀତର ଆସର
  • ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ

ମହା ମୁକାବିଲାର ସାକ୍ଷୀ ରହିବା ପାଇଁ ଅହମ୍ମଦାବାଦରେ ପହଁଚୁଛନ୍ତି କ୍ରିକେଟ୍ ପ୍ରେମୀ । ରୋହିତ ବାହିନୀଙ୍କୁ ସମର୍ଥନ କରିବା ପାଇଁ ଦେଶର କୋଣ-ଅନୁକୋଣରୁ ଆସୁଛନ୍ତି ପ୍ରଶଂସକ । କ୍ରିକେଟ୍ ପ୍ରେମୀଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ ଏୟାରପୋର୍ଟରେ କରାଯାଇଛି ସ୍ୱତନ୍ତ୍ର ଆୟୋଜନ । ଏୟାରପୋର୍ଟ ବାହାରେ ପାରମ୍ପରିକ ନୃତ୍ୟ-ଗୀତର ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ଟିମ ଇଣ୍ଡିଆକୁ ଚିୟର ଅଫ କରିବାକୁ ଟ୍ରଫି ଆକୃତିର କେକ, ମିଠା ପ୍ରସ୍ତୁତ କରାଯାଇଛି । ଏପଟେ ଭାରତ ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଖେଳାଳିଙ୍କ ପରିବାର ମଧ୍ୟ ପୂଜାପାଠରେ ବ୍ୟସ୍ତ । ହରିଦ୍ୱାର ରିଷିକେଶରେ ସାଧୁସନ୍ଥ ବି ଟିମ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି । କଟକରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି । ଜୟ ଜଗନ୍ନାଥ ସେବା ସଂଗଠନର ସଦସ୍ୟମାନେ ଏକାଠି ହୋଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହୋମଯଜ୍ଞ କରିଛନ୍ତି ।

ତେବେ ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ସହ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । ହୋମ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଶ୍ୱକପ ଟାଇଟେଲ ହାତେଇବା ପାଇଁ ଦେଶବାସୀ ଶୁଭକାମନା ଜଣାଉଛନ୍ତି । ମ୍ୟାଚ ଦେଖିବା ପାଇଁ କ୍ଲବଠୁ ଆରମ୍ଭ କରି ହୋଟେଲ, ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । କେଉଁଠି ବଡ ବଡ ଏଲଇଡି ତ ଆଉ କେଉଁଠି ଖାଇବା ପିଇବା ବ୍ୟବସ୍ଥା ରହିଛି । ଭୁବନେଶ୍ୱରରେ ବି ଜୋରଦାର ଆୟୋଜନ କରାଯାଇଛି ।