କନକ ବ୍ୟୁରୋ: ଆଫଗାନିସ୍ତାନରୁ ଆମେରିକାର ସମ୍ପୂର୍ଣ୍ଣ ଅପସାରଣ ଓ ତାଲିବାନର କବଜାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଏବେ ସାରା ବିଶ୍ୱର ନଜର ଅଟକିଛି । ଏପରି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବା ନେଇ ଖବର ବେଶ୍ ଗୁରୁତ୍ୱ ବହନ କରୁଛି । ଏହି ଗସ୍ତ ବେଳେ ମୋଦି ବାଇଡେନଙ୍କୁ ସାକ୍ଷାତ କରିବେ ।
ଜାନୁଆରୀରେ ବାଇଡେନ ଶାସନ ଭାର ଗ୍ରହଣ କରିବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ ହେବ । ଯଦିଓ ଭର୍ଚୁଆଲ ମିଟରେ ଚଳିତବର୍ଷ ମୋଦି ଓ ବାଇଡେନ୍ ୩ ଥର ସାକ୍ଷାତ କରିସାରିଛନ୍ତି, ହେଲେ ବ୍ୟକ୍ତିଗତ ଭାବେ ପରସ୍ପରକୁ ଏହି ଦୁଇ ନେତା ପରସ୍ପରକୁ ପ୍ରଥମଥର ଭେଟିବେ । ଦୁଇବର୍ଷ ତଳେ ୨୦୧୯ ସେପ୍ଟେମ୍ପରରେ ମୋଦି ଆମେରିକା ଗସ୍ତ କରିଥିଲେ । ଆଉ ସେତେବେଳେ ଆମେରିକାରେ ଟ୍ରମ୍ପ ସମୟ ଚାଲି୍ଥିଲା । ଏହି ଗସ୍ତ ବେଳେ ମୋଦିଙ୍କ ସମ୍ମାନରେ ହଷ୍ଟନରେ “ହାଓଡି ମୋଦି’ କାର୍ଯ୍ୟକ୍ରମ କରାଇଥିଲେ ଟ୍ରମ୍ପ । ଆଉ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଉପସ୍ଥିତିରେ “ଅବକି ବାର ଟ୍ରମ୍ପ ସରକାର’ ନାରା ଦେଇଥିଲେ ମୋଦି । ହେଲେ ଟ୍ରମ୍ପଙ୍କ ପରାଜୟ ଓ ବାଇଡେନଙ୍କ ବିଜୟ ପରେ ସମୀକରଣ ଅନେକ ବଦଳି ସାରିଛି ।
ମୋଦି-ବାଇଡେନ ବୈଠକରେ ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗ ସହ ଆଫଗାନିସ୍ତାନ, ଚୀନ୍ ପରି ପ୍ରସଙ୍ଗ ଉଠିପାରେ । ଏବେ ଭାରତ ଓ ଆମେରିକା ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗୀ ଭାବେ କାମ କରୁଛନ୍ତି । ଟ୍ରମ୍ପଙ୍କ ସହ ମୋଦିଙ୍କ ବ୍ୟକ୍ତିଗତ ବନ୍ଧୁତା ଭାରତ-ଆମେରିକା ସମ୍ପର୍କକୁ ମଧ୍ୟ ଆଗକୁ ବଢ଼ାଇବାରେ ସହାୟତା କରିଥିଲା । ହେଲେ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହି ସମ୍ପର୍କରେ କିଛିଟା ପରିବର୍ତ୍ତର୍ନ ଘଟିଥିବା ଦେଖିବାକୁ ମିଳିଛି । ଆମେରିକା ଗସ୍ତ ବେଳେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନକୁ ମୋଦି ସେପ୍ଟେମ୍ବର ୨୫ରେ ସମ୍ବୋଧନ କରିବାର ଅଛି ।