ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ । ପଢନ୍ତୁ, କଣ କହିଲେ ପ୍ରଧାନମନ୍ତ୍ରୀ…

155

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘରେ ଉଦବୋଧନ ଦେଇଛନ୍ତି । ନଜର ପକାନ୍ତୁ, ନିଜ ଅଭିଭାଷଣରେ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମିଳିତ ଜାତିସଂଘରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦେଢ ବର୍ଷ ହେଲା ପୂରା ବିଶ ମହାମାରୀ ସହ ଲଢୁଛି । ଗତ ଶହେ ବର୍ଷ ଭିତରେ ଆସିଥିବା ମହାମାରୀ ଭିତରେ କୋଭିଡ୍ ହେଉଛି ସବୁଠୁ ଅଧିକ ସଂକ୍ରାମକ । ଏହି ମହାମାରୀରେ ପ୍ରାଣ ହରାଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହିତ ସେ ଏପରି ଏକ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି, ଯାହା ହେଉଛି ଗଣତନ୍ତ୍ରର ଜନନୀ । ଗଣତନ୍ତ୍ର ହେଉଛି ଆମ ହଜାରେ ବର୍ଷର ମହାନ ପରମ୍ପରା । ଗତ ଅଗଷ୍ଟ ୧୫ ତାରିଖରେ ଭାରତ ନିଜର ସ୍ୱାଧୀନତା ଦିବସ ପାଳନ କରିବା ସହିତ ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଛି ।

ଏଥିସହିତ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଲମ୍ବା ସମୟ ଧରି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ, ଗତ ୭ ବର୍ଷ ହେଲା ସେ ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରି ଆସୁଛନ୍ତି । ଏହାକୁ ମିଶାଇ ସେ ମୋଟ ୨୦ ବର୍ଷ ହେଲା ଦେଶର ସେବା କରିଆସୁଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘରେ ନିଜର ଅଭିଭାଷଣ ରଖି ମୋଦୀ କହିଛନ୍ତି, ସେବା ହିଁ ପରମ ଧର୍ମ । ଭାରତରେ ଏବେ ଟିକାକରଣ ଜୋରସୋରରେ ଜାରି ରହିଛି । ଭାରତ ଦୁନିଆର ପ୍ରଥମ ଡିଏନଏ ଟିକା ନିର୍ମାଣ କରିଛି ବୋଲି ମୋଦୀ କହିଛନ୍ତି ।

ଅନ୍ୟପଟେ ମୋଦୀ ତାଙ୍କ ଅଭିଭାଷଣରେ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ଯେଉଁ ଦେଶମାନେ ଆତଙ୍କବାଦକୁ ଏବେ ବ୍ୟବହାର କରୁଛନ୍ତି , ଭବିଷ୍ୟତରେ ସେହି ଆତଙ୍କବାଦ ହିଁ ତାଙ୍କ ପାଇଁ ବିପଦର କାରଣ ହେବ ବୋଲି ମୋଦୀ କହିଛନ୍ତି । ତା ସହିତ ତାଲିବାନ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । ତାଲିବାନ ଏହା ସ୍ପଷ୍ଟ କରିବା ଉଚିତ୍ ଯେ, ଆଫଗାନିସ୍ତାନର ମାଟି ଆତଙ୍କବାଦ ପାଇଁ ବ୍ୟବହାର ହେବନି ବୋଲି ମୋଦୀ ଆଜି ମିଳିତ ଜାତିସଂଘରେ କହିଛନ୍ତି ।