କନକ ବ୍ୟୁରୋ : ପିଏମ କିଷାନ ସମ୍ମାନନିଧି ଯୋଜନାରେ କେନ୍ଦ୍ରର ସହାୟତା । ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଗଲା । ପିଏମ କିଷାନ ସମ୍ମାନନିଧି ଯୋଜନାରେ ଅଷ୍ଟମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ହେବାକୁ ଥିବା ଏହି ସମାରୋହରେ ଦେଶର ପ୍ରାୟ ୯.୫ କୋଟି କୃଷକଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ପଠାଗଲା ।

Advertisment

ଅର୍ଥରାଶି ରିଲିଜ୍‌ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାଦ୍ବାରା ଉପକୃତ କେତେ ଜଣ ହିତାଧିକାରୀଙ୍କ ସହ ଆଳାପ କରିଥିଲେ । ଜୈବିକ ପଦ୍ଧତିରେ ଚାଷ କରିବା ନିମନ୍ତେ ଖଣ୍ଡେ ଟାଙ୍ଗରା ଭୂଇଁକୁ ଉପଯୁକ୍ତ କରିଥିବା ଆନ୍ଧ୍ରପ୍ରଦେଶର ଜଣେ ମହିଳା-କୃଷକଙ୍କ ସହ ଆଳାପ କରୁଥିବା ବ‌େଳେ ପ୍ରଧାନମନ୍ତ୍ରୀ କହିଲେ, ଆପଣ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଆପଣଙ୍କ ଆତ୍ମବିଶ୍ବାସ ହିଁ ଆପଣଙ୍କ ସାମର୍ଥ୍ୟ ଏବଂ ଅଭିଜ୍ଞତା କଥା ବଖାଣୁଛି ।

ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧.୧୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଖାତାକୁ ଯାଇସାରିଲାଣି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା । ଏହା ଡିବିଟି ଜରିଆରେ ସିଧା କୃଷକଙ୍କ ଖାତାକୁ ଯାଇଥାଏ ।