ଗାନ୍ଧି ଜୟନ୍ତୀରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି । ରାଜଘାଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ସମ୍ବଲପୁରର ରେଢାଖୋଲରେ ପୂଜା ପାଉଛନ୍ତି ମହାତ୍ମା

119

କନକ ବ୍ୟୁରୋ: ଆଜି ଗାନ୍ଧି ଜୟନ୍ତୀ । ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୧ ତମ ଜନ୍ମ ଜୟନ୍ତୀ । ସାରା ଦେଶ ଏହି ଅବସରରେ ଜାତିର ପିତାଙ୍କୁ ଜଣାଉଛି ଶ୍ରଦ୍ଧାଂଜଳି । ନୂଆଦିଲ୍ଲୀର ରାଜଘାଟରେ ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଅନ୍ୟ ରାଜନେତା ଓ କେନ୍ଦ୍ରମନ୍ତ୍ରୀ , ବାପୁଙ୍କ ସମାଧିସ୍ଥଳ ଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

୧୮ ଶହ ୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଏହି ଯୋଗଜନ୍ମା ପୁରୁଷ । ତାଙ୍କର ଅହିଂସା ନୀତି ବଳରେ ଦେଶର ସ୍ୱାଧୀନତାର ମୋଡ ବଦଳି ଯାଇଥିଲା । ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଆଜି ମଧ୍ୟ ଗାନ୍ଧିଙ୍କ ଅହିଂସା ଓ ସତ୍ୟାଗ୍ରହକୁ ପାଥେୟ କରାଯାଉଛି । ତାଙ୍କର ୧୫୧ ତମ ଜନ୍ମତିଥୀ ଅବସରରେ ସାରା ଦେଶ ଜଣାଉଛି ଶ୍ରଦ୍ଧାଂଜଳି ।

ଏପଟେ, ଓଡିଶାରେ ସଂବଲପୁର ଜିଲ୍ଲାର ରେଢାଖୋଲରେ ରହିଛି ଗାନ୍ଧି ମନ୍ଦିର । ଏହା ହେଉଛି ରାଜ୍ୟରେ ବାପୁଙ୍କର ପ୍ରଥମ ମନ୍ଦିର । ରେଢାଖୋଲର ତକ୍ରାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧି ମନ୍ଦିରକୁ ନିର୍ମାଣ କରିଥିଲେ । ୧୯୭୪ ମସିହାରେ ଏହି ମନ୍ଦିରକୁ ଉଦଘାଟନ କରିଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ପ୍ରତ୍ୟକ ବର୍ଷା ଗାନ୍ଧି ଜୟନ୍ତୀ ଅବସରରେ ଏହି ମନ୍ଦିରକୁ ଅନେକ ଲୋକ ଆସି ବାପୁଙ୍କ ଦର୍ଶନ କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମନ୍ଦିର ଖୋଲା ହୋଇ ପୂଜା ହେଉଛି କିନ୍ତୁ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଛଡା ଯାଉନାହିଁ ।