ମାଆ କାଳୀଙ୍କ ମନ୍ଦିରରେ ମାଆଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ : ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ମୋଦି

103

କନକ ବ୍ୟୁରୋ : ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସତଖୀରା ଜିଲ୍ଲା ଅନ୍ତର୍ଗତ ଈଶ୍ୱରୀପୁର ଗାଁରେ ଅବସ୍ଥିତ ଯଶ୍ୱରେଶ୍ୱରୀ କାଳୀମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ଏଥି ସହିତ କାଳୀ ପ୍ରତିମାଙ୍କ ମସ୍ତକରେ ଏକ ହସ୍ତନିର୍ମିତ ସୁନା କଲେଇ କରା ରୁପା ମୁକୁଟ ପିନ୍ଧାଇଛନ୍ତି । ପ୍ରାୟ ତିନି ସପ୍ତାହ ମଧ୍ୟରେ କୌଳିକ କାରିଗରମାନେ ଏହି ମୁକୁଟ ନିର୍ମାଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ବାଂଲାଦେଶର ସରକାରୀ କର୍ତ୍ତୃପକ୍ଷମାନେ ସତଖୀରାରେ ଥିବା ଯଶ୍ୱରେଶ୍ୱରୀ ମନ୍ଦିରର ନବିକରଣ କରାଯାଇଥିଲା । ଭାରତ ଏବଂ ତାହର ପଡ଼ୋଶୀ ଦେଶମାନଙ୍କରେ ଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ମନ୍ଦିର ଅନ୍ୟତମ ।

ଏଠାରେ ହେଉଥିବା କାଳୀ ମେଳା ଦେଖିବାକୁ ଭାରତରୁ ମଧ୍ୟ ଲୋକେ ଆସନ୍ତି । ତେଣୁ, ଏଠାରେ ବିଭିନ୍ନ କାର୍ଯ୍ୟରେ ଉପଯୋଗ ହେଲା ଭଳି ଏକ ‘କମ୍ୟୁନିଟି ହଲ୍‌’ ଆବଶ୍ୟକ । ସାମାଜିକ, ଧାର୍ମିକ ଏବଂ ଶିକ୍ଷାସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ । ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହା ଆଶ୍ରୟସ୍ଥଳୀ ଭାବେ କାମ ଦେବ । ଭାରତ ସରକାର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ଏଥିପାଇଁ ସମ୍ମତି ଦେଇଥିବାରୁ ବାଂଲାଦେଶ ସରକାରଙ୍କୁ କୃତଜ୍ଞତା ଜଣାଉଛି । କାଳୀପୂଜା ଦେଖିବାକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ଏହି ହଲ୍‌ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମା କାଳୀଙ୍କୁ ପୂଜା କରିବା ଲାଗି ଆଜି ଏହି ଶକ୍ତିପୀଠକୁ ଯିବାର ସୁଯୋଗ ପାଇଲି। ମାନବ ଜାତିକୁ କୋଭିଡ୍‌-୧୯ କବଳରୁ ମୁକ୍ତ କରିବା ପାଇଁ ତାଙ୍କୁ ପ୍ରାର୍ଥନା କରିଛି । ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ମତୁଆ ସମ୍ପ୍ରଦାୟର ଲୋକମାନଙ୍କ ସହ ମଧ୍ୟ ଭାବବିନିମୟ କରିବେ। ଏଥିସହ ଆଜି ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।