ମୋଦିଙ୍କ ପାଇଁ ଭୋଟ୍ ମାଗିଲେ ମା’ ! ଜାଣନ୍ତୁ ଏହି ଭାଇରାଲ୍ ଫଟୋ ପଛର ସତ ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ କୌଣସି ନା କୌଣସି ମାମଲାକୁ ନେଇ ଚର୍ଚ୍ଚାରେ ଥାନ୍ତି । ସେ ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ମାମଲା,ଦେଶର ପ୍ରମୁଖ ଭାବରେ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ୨୦୧୪ ମସିହାରେ ଭାରତର ଶାସନଭାର ସମ୍ଭାଳିବା ପଛର କାହାଣୀକୁ ଜନତା ଅବା କେମିତି ଭୁଲିପାରିବେ । କେମିତି ଜଣେ ଚା’ ବିକ୍ରି କରୁଥିବା ପିଲା ପରିଣତ ବୟସରେ ଦେଶର ପ୍ରମୁଖ ହେବାର ସୌଭାଗ୍ୟ ଅର୍ଜନ କଲା ଏବଂ ପ୍ରଧାନମନ୍ତ୍ରୀ ହେବା ପଛର କାହାଣୀ ଲୋକଙ୍କୁ ସେତେବେଳେ ଖୁବ୍ ଉତ୍ସାହିତ କରିଥିଲା । ୨୦୧୬ ମସିହା ନଭେମ୍ବର ୮ ତାରିଖରେ ମୋଦି ଯେତେବେଳେ ବିମୁଦ୍ରୀକରଣର ଘୋଷଣା କରିଥିଲେ ଏହାର କିଛି ଦିନ ପରେ ତାଙ୍କ ମା’ ହୀରାବେନଙ୍କୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡିରେ ଠିଆ ହୋଇ ଟଙ୍କା ଆଣିବାର ମଧ୍ୟ ଦେଖାଦେଇଥିଲା । ସେତେବେଳର ପ୍ରମୁଖ ଖବର କହିବାକୁ ଗଲେ ଏହି ଖବର ଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କେବଳ ଏତିକି ନୁହେଁ ପ୍ରଥମଥର କରି ନିଜ ପ୍ରଧାନମନ୍ତ୍ରୀ ପୁଅକୁ ଭେଟିବାକୁ ଆସିଥିବା ମା’ହୀରାବେନଙ୍କ ଫଟୋ ସେତେବେଳେ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ୍ ହେଉଥିଲା । ମା’ ପୁଅ ଦୁହିଁଙ୍କ ଫଟୋ ସେତେବେଳେ ପ୍ରତିଟି ଖବରକାଗଜର ମୁଖ୍ୟ ସ୍ତମ୍ଭରେ ସ୍ଥାନ ପାଇଥିଲା । ପୁଅ ନରେନ୍ଦ୍ରଙ୍କ ପାଖରେ ମା’ ହୀରାବେନ୍ ରହୁନଥିବା ବେଳେ ସେ ଗୁଜୁରାଟରେ ରୁହନ୍ତି । ତେବେ ଏଭଳି କିଛି ଖବର ପ୍ରଚାର ହେଲେ ବିରୋଧିନେତା ଏହାକୁ ଲୋକଙ୍କୁ ଭାବୁକ କରିବା ପାଇଁ ମୋଦିଙ୍କ ଚାଲ୍ ବୋଲି କହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଖବର ଦେବା କାରଣ ବର୍ତ୍ତମାନ ପୁଣିଥରେ ସୋସିଆଲ୍ ମିଡିଆରେ ମୋଦି ଏବଂ ତାଙ୍କ ମା’ ଙ୍କୁ ନେଇ ଖବର ଜୋର୍ ଧରିଛି ।
ସୋସିଆଲ୍ ମିଡିଆରେ ଏକ ଫଟୋ ଘୁରିବୁଲୁଛି ଯେଉଁଥିରେ ହୀରାବେନ୍ ନିଜ ପୁଅ ନରେନ୍ଦ୍ର ମୋଦିଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ପଚରାଯାଉଥିବାର ଦେଖାଦେଇଛି । ତେବେ ଏହି ଘଟଣା ପଛରେ କେତେ ସତ୍ୟତା ଅଛି ଏହାକୁ ନେଇ ଜାଞ୍ଚ୍ ହେବା ପରେ ଜଣାପଡିଲା ଯେ ଏହା ସମ୍ପୁର୍ଣ୍ଣ ରୂପେ ମିଥ୍ୟା ଖବର । ତେବେ ଏହି ଫଟୋ ଭାଇରାଲ୍ ହେବା ପରେ ଲୋକେ ଏହାକୁ ନେଇ ନିଜ ନିଜ ମତାମତ ଦେଇଥିଲେ । “ନରେନ୍ଦ୍ର ମୋଦି ହ୍ୱାଟସଆପ୍ ଗ୍ରୁପ୍” ନାମକ ଏକ ଗ୍ରୁପରେ ଏଭଳି ଫଟୋକୁ ସେୟାର୍ କରାଯାଇଥିଲା । କିଛି ଲୋକ ଏଥିରେ ମୋଦିଙ୍କୁ କଟାକ୍ଷ କରି କହିଥିଲେ ଯେ ଭୋଟ୍ ପାଇଁ ମୋଦି ମା’ଙ୍କୁ ମଧ୍ୟ ରାଜନୀତିକୁ ଆଣିବାକୁ ପଛାଇଲେ ନାହିଁ ।
ତେବେ ଏହି ଭାଇରାଲ୍ ଫେକ୍ ଫଟୋର ଅସଲି ଫଟୋକୁ ୨୦୧୪ ମସିହାରେ ନିଆଯାଇଥିଲା । ସେତେବେଳେ ମୋଦି ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିସାରିଥିଲେ ଏବଂ ପଡୋଶୀ ରାଷ୍ଟ୍ର ପାକିସ୍ତାନରୁ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ ହୀରାବେନଙ୍କ ପାଇଁ ଶାଢି ଉପହାରରେ ପଠାଇଥିଲେ । ତେବେ ଏଥିରେ ହୀରାବେନ ଏକ ସବୁଜ ରଙ୍ଗର ବାକ୍ସ ଧରିଥିବା ବେଳେ ଏଥିରେ ପାକିସ୍ଥାନ ତରଫରୁ ପଠାଯାଇଥିବାର ପ୍ରମାଣ ମଧ୍ୟ ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ ମଧ୍ୟ ସାମିଲ ହୋଇଥିଲେ ।
ଉତ୍ସବ ଶେଷରେ ମୋଦି ଶରିଫଙ୍କୁ ଏକ ନାଲି ରଙ୍ଗର ବାକ୍ସ ଦେଇଥିଲେ ଯେଉଁଥିରେ ତାଙ୍କ ମା’ଙ୍କ ପାଇଁ ଏକ ଉତ୍ତରୀୟକୁ ସେ ଉପହାରରେ ଦେଇଥିଲେ । ଏହାର କିଛି ଦିନ ପରେ ଶରିଫ୍ ହୀରାବେନଙ୍କ ପାଇଁ ଶାଢି ପଠାଇଥିଲେ ଏବଂ ଏହି ଫଟୋକୁ ଫଟୋ ସୁଟ୍ କରି ସୋସିଆଲ୍ ମିଡିଆରେ ଛଡା ଯାଇଥିଲା ।