ଆଫଗାନିସ୍ତାନ ସ୍ଥିତିକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ । କାବୁଲରୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ନେଇ ଋଷ ରାଷ୍ଟ୍ରପତିଙ୍କ ସହ କଲେ ଆଲୋଚନା 

240

କନକ ବ୍ୟୁରୋ: ଆମେରିକା ଓ ବ୍ରିଟେନ୍ ସେନା କାବୁଲ ଏୟାରପୋର୍ଟରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଦିନ ରାତି କାମ କରୁଛନ୍ତି । ଆଫଗାନିସ୍ତାନରେ ଆତଙ୍କର ମାହୋଲ ଭିତରେ କାଳେ କିଏ ଫଶି ରହିଯିବ, ପ୍ରତ୍ୟେକ ଦେଶ ଆଫଗାନ୍ରେ ଥିବା ନିଜ ନାଗରୀକଙ୍କୁ ଉଦ୍ଧାର କରୁଛି । ଆଉ ଏହି ପ୍ରକ୍ରିୟା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । ସେ ପର୍ଯ୍ୟନ୍ତ କାବୁଲ ଏୟାରପୋର୍ଟକୁ ଜଗିବ ପାଶ୍ଚାତ୍ୟ ସେନା । ହେଲେ ଏହି ସମୟ ସୀମା ପାର ହେଲେ ଆମେରିକା ଓ ବ୍ରିଟେନ ସେନାକୁ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନି ଦେଇଛି ତାଲିବାନ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ କାବୁଲ ଏୟାରପୋର୍ଟ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

କୋଳାହଳ ଆଉ ଭୟର ବାତାବରଣ ଭିତରେ କାବୁଲ ଏୟାରପୋର୍ଟରେ ଲୋକଙ୍କୁ ଉଦ୍ଧାର କାମ ଜାରି ରଖିଛି ପାଶ୍ଚାତ୍ୟ ସେନା ଓ ଆଫଗାନ ସେନା । ଗତ ୧୦ ଦିନ ଭିତରେ ପାଖପାଖି ୫୦ ହଜାର ଲୋକଙ୍କୁ କାବୁଲରୁ ବାହାରିବାରେ ସାହାଯ୍ୟ କରିଛି ସେନା । ଆଉ ନାଟୋ ସହ ହୋଇଥିବା ଚୁକ୍ତି ମୁତାବକ ଅଗଷ୍ଟ ୩୧ ସୁଦ୍ଧା ପାଶ୍ଚାତ୍ୟ ସେନା କାବୁଲ ଏୟାରପୋର୍ଟ ଛାଡିବେ । ଏହାରି ଭିତରେ ମଙ୍ଗଳବାର ୭୮ ଜଣ ଆଫଗାନିସ୍ତାନରୁ ଆସି ଭାରତରେ ପହଁଚିଛନ୍ତି । ତାଜିକସ୍ତାନର ଦୁସାନବେରୁ ଉଡ଼ାଣ କରିଥିବା ଏୟାର ଇଣ୍ଡିଆ ବିମାନରେ ୭୮ଜଣଯାତ୍ରୀଙ୍କ ଭିତରେ କିଛି ହିନ୍ଦୁ ଏବଂ ଶିଖ୍ ସମ୍ପ୍ରଦାୟର ଲୋକ ଭାରତରେ ପହଁଚିଛନ୍ତି । ଆଉ ଭାରତ ପହଁଚିବା ପରେ ନିଜ ଅନୁଭୂତି ବାଂଟିଛନ୍ତି ଉଦ୍ଧାର ହୋଇଥିବା ଭାରତୀୟ ।

ଅଗଷ୍ଟ ୩୧ ସୁଦ୍ଧା ଏୟାରଲିଫ୍ଟକୁ କିପରି ଜୋରଦାର କରାଯିବ ଏହାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହାପୂର୍ବରୁ ଜର୍ମାନୀ ଚାଂଜସେଲର ଆଂଜେଲା ମର୍କେଲଙ୍କ ସହ ମଧ୍ୟ କଥା ହୋଇ ଏୟାରଲିଫ୍ଟ ପକ୍ରିୟା ବିଷୟରେ ବିସ୍ତୃତରେ କଥାହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଆଫଗାନିସ୍ତାନରୁ ଆସିଥିବା ଏହି ଭାରତୀୟ ମାନେ ଗୁରୁଗ୍ରନ୍ଥ ସାହିବକୁ ଅତି ଯତ୍ନ ସହକାରେ ଭାରତକୁ ଆଣିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀ, ବିଦେଶ ରାଜ୍ୟ ମନ୍ତ୍ରୀ ବି. ମୁରଲିଧରନ ଏବଂ ବିଜେପି ନେତା ଆରପି ସିଂ ସେମାନଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି । କେବଳ ସେତିକି ନୁହେଁ ଏୟାରପୋର୍ଟରେ ଗୁରୁଗ୍ରନ୍ଥ ସାହିବଙ୍କୁ ନିଜ ମୁଣ୍ଡରେ ରଖି ବାହାରକୁ ଆଣିଥିଲେ କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀ । ଆଉ ଏପରି କରି ନିଜକୁ ଭାଗ୍ୟବାନ ବୋଲି ମନେ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ସେପଟେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଦେଶରେ କିପରି ସରକାର ଗଢିବ ସେ ଦିଗରେ କାମ କରୁଛି ତାଲିବାନ । ଦେଶରେ ଜଣେ ନୂଆ ଅର୍ଥମନ୍ତ୍ରୀ, ଇଂଟେଲିଜେନ୍ସ ଚିଫ ଏବଂ ଆକ୍ଟିଂ ମିନିଷ୍ଟରକୁ ତାଲିବାନ ନିୟୋଜିତ କରିଥିବା ଆଫଗାନିସ୍ତାନ ଗଣମାଧ୍ୟମ ତରଫରୁ ଜଣାପଡିଛି ।