୭୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଦେଶ, ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

134

କନକ ବ୍ୟୁରୋ: ୭୧ ବର୍ଷରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ ମସିହାରୁ ଦେଶକୁ ବଳିଷ୍ଠ ନେତୃତ୍ୱ ଦେଉଥିବା ମୋଦିଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ବାଲୁକା କଳାରେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଆ ଚିତ୍ରକର ପ୍ରିୟଙ୍କା ସାହାଣୀ ମୋଦିଙ୍କୁ ଓଡିଶା ସଂସ୍କୃତିକୁ ଦର୍ଶାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଶସ୍ୟର ବ୍ୟବହାର କରି ସେ ମୋଦିଙ୍କ ଚିତ୍ର ଆଙ୍କିଛନ୍ତି । ଏଥିରେ ହରଡ, ମୁଗ, ମସୁର, ଚୂଡା ଓ ଚାଉଳ ବ୍ୟବହାର କରାଯାଇଛି । ପ୍ଲାଏରେ ତିଆରି ହୋଇଥିବା ଏହି ଫଟୋର ଉଚ୍ଚତା ରହିଛି ୬ ଫୁଟ ଓ ଚଉଡା ରହିଛି ୪ ଫୁଟ ।

ସେପଟେ ମୋଦିଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ଭାବେ ପାଳନ କରିଛନ୍ତି ବିରୋଧୀ । ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ ଭୁବନେଶ୍ୱରର ନିୟୋଜନ ନିର୍ଦ୍ଦେଶାଳୟ ଓ ନିଯୁକ୍ତି ମିଶନ ଓଡ଼ିଶା କାର୍ଯ୍ୟାଳୟ ଆଗରେ ଜୋତା ପଲିସ କରି ଓ ପକୁଡି ଛାଣି ଅଭିନବ ଉପାୟରେ ମୋଦୀଙ୍କ ଜନ୍ମଦିନରେ ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାର ଯୁବକମାନଙ୍କ ପ୍ରତି ଛଳନା କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଉ ଏହାକୁ କାଉଂଟର ବି କରିଛି ବିଜେପି । ମୋଦିଙ୍କ ପାଇଁ ଲିଙ୍ଗରାଜ ମନ୍ଦିରରେ ବି ଦୀପଦାନ କରାଯାଇଛି । ମୋଦିଙ୍କ ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ କାମନା କରି ୭୧ଟି ଦୀପଦାନ କରିଛନ୍ତି ବିଜେପି କର୍ମୀ ।