ସ୍କଟଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଗୀତ ଗାଇ ପ୍ରବାସୀ ଭାରତୀୟ କଲେ ଭବ୍ୟ ସ୍ୱାଗତ

90

କନକ ବ୍ୟୁରୋ: ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମିଳିତ ରାଷ୍ଟ୍ର ଜଳବାୟୁ ପରିବର୍ତନ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସ୍କଟଲ୍ୟାଣ୍ଡ ଗ୍ଲାସ୍ଗୋରେ ଅନୁଷ୍ଠିତ ହୋଇଥିବା କପ-୨୬ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ସମ୍ମଳନୀରେ କୋଇଲା ବ୍ୟବହାର ନେଇ ବିକାଶଶିଳ ରାଷ୍ଟ୍ର ଗୁଡିକୁ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି ଭାରତ ।

ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଠାରେ ଅନୁଷ୍ଠିତ ହେଉଥିବା ମିଳିତ ରାଷ୍ଟ୍ର ଜଳବାୟୁ ପରିବର୍ତନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବରିସ ଜନସନ୍ । ଏହି ସମୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଓ ଜାତିସଙ୍ଘ ସାଧାରଣ ସଚିବ ଆଂଟୋନିଓ ଗଟରେସଙ୍କ କାନ୍ଧରେ ହାତ ପକାଇ ବନ୍ଧୁ ଭଳି ଆଲୋଚନା କରିବାରେ ନଜର ଆସିଛନ୍ତି ମୋଦୀ । ଗ୍ଲାସକୋର ସ୍କଟିସ୍ ଏକ୍ଜିବିସନ୍ ସେଂଟରରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସମେତ ବିଭିନ୍ନ ରାଷ୍ଟ୍ରନେତା ଯୋଗ ଦେଇଛନ୍ତି । ବଢୁଥିବା ତାପମାତ୍ରା କିଭଳି ବିଶ୍ୱ ଜଳବାୟୁ ଉପରେ ଖରାପ ପ୍ରଭାବ ପକାଉଛି ତାହା ଏହି ସମ୍ମିଳନୀରେ ମୁଖ୍ୟ ବିଷୟ ରହିଛି । ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ।

ସେପଟେ ଗ୍ଲାସଗୋରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି । ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ସିଧା ହୋଟେଲରେ ପହଁଚିଥିଲେ । ଯେଉଁଠି ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଗସ୍ତର ପ୍ରଥମ ଦିନରେ ଗ୍ଲାସୋଗ ସିଟିରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ନିକଟରେ ପାଇ ଉତ୍ସାହିତ ପ୍ରବାସୀ ଗୀତ ଗାଇ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଗୀତ ଗାଇ ମୋଦିଙ୍କୁ ଭାରତର ଅଳଙ୍କାର କହି ପ୍ରବାସୀ ଭାରତୀୟ ସମ୍ବୋଧନ କରିଥିଲେ । ଦୀର୍ଘ ଘଂଟା ଧରି ଅପେକ୍ଷା କରିଥିବା ପ୍ରବାସୀଙ୍କ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ।

ଗ୍ଲୋବାଲ ୱାର୍ମିଂକୁ ନେଇ ଅନୁଷ୍ଠିତ ହୋଇଥିବା ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତନ ସମ୍ମିଳନୀ ରବିବାର ଠାରୁ ଆରମ୍ଭ ହୋଇଥିବାବେଳେ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ । ଇଟାଲି ଓ ବ୍ରିଟେନ ସହଭାଗିତାରେ ଏହି ସମ୍ମିଳନୀରେ ଆୟୋଜିତ ହୋଇଛି । ୧୨୦ରୁ ଅଧିକ ଦେଶର ନେତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।