କନକ ବ୍ୟୁରୋ: କରୋନା ପାଇଁ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ୧୪ ଯାଏ ଦେଶରେ ୨୧ ଦିନିଆ ଲକଡାଉନ୍ ଜାରି ହୋଇଥିବା ବେଳେ ଏହି ଅବଧି ବଢିବ ନା ଲକଡାଉନ୍ ହଟିଯିବ ସେନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଦେଶର ବିଭିନ୍ନ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ସଂସଦରେ ପ୍ରତିନିଧି ଥିବା ଦଳର ନେତାଙ୍କ ସହ ଆଲୋଚନା କରୁଛନ୍ତି ମୋଦି । ଏହା ସହିତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଅନୁସାରେ ଲକଡାଉନ୍ ଅବଧି ବଢାଇବା ନେଇ ବିଶେଷଜ୍ଞଙ୍କ ପରାମର୍ଶ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଫଳରେ ଲକଡାଉନ୍ ଅବଧି ବୃଦ୍ଧି ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସୁଥିବା ବେଳେ କେନ୍ଦ୍ର ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ।
ଅନ୍ୟପଟେ କେରଳରେ ଲକଡାଉନକୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ଗଠିତ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଛି । ବିଭିନ୍ନ ବିଭାଗର ୧୭ ଜଣିଆ ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ତିନି ପର୍ଯ୍ୟାୟରେ ଲକଡାଉନ କଟକଣା ହଟାଇବାକୁ ପରାମର୍ଶ ଦେଇଛି । ଏନେଇ କେନ୍ଦ୍ରକୁ ରିପୋର୍ଟ ପଠାଇ ଦିଆଯାଇଥିବା ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ । କମିଟିର ସୁପାରୀଣ ଅନୁସାରେ ଯେଉଁ ଜିଲ୍ଲାରେ ଏପ୍ରିଲ ୭ରୁ ଗୋଟିଏ ବି କରୋନା ରୋଗୀ ଚିହ୍ନଟ ହୋଇନଥିବେ, ହୋମକ୍ୱାରେନଟାଇନ ଥିବା ଲୋକଙ୍କ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇନଥିବ, ଏବଂ ଜିଲ୍ଳାର କୌଣସି ସ୍ଥାନକୁ ହଟସ୍ପଟ ଚହ୍ନଟ କରାଯାଇନଥିବ ତେବେ ସେହିସବୁ ଅଂଚଳକୁ ପ୍ରଥମ ପର୍ଯ୍ୟାୟ ତାଲିକା ଭୁକ୍ତ କରାଯିବ । ଏହି ଜିଲ୍ଲାରେ ଲୋକମାନେ ବିନା ପରିଚୟ ପତ୍ର ଓ ମାସ୍କ ନପିନ୍ଧି ଘରୁ ବାହାରି ପାରିବେ ନାହିଁ । ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ସଂସ୍ଥାମାନେ ସେମାନଙ୍କ କାର୍ଯ୍ୟ କରିବେ ।
ଗୋଟିଏ ପରିବାରର କେବଳ ଜଣଙ୍କୁ ଅତି ବେଶୀରେ ତିନି ଘଂଟା ବାହାରକୁ ଯାଇପାରିବେ । କୌଣସି ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଘର ବାହାରକୁ ଯାଇପାରିବେ ନାହିଁ । ଘରୋଇ ଗାଡି ଅଡ୍-ଇଭିନ୍ ଫର୍ମୁଲାରେ ଚାଲିବ । ରବିବାର କୌଣସି ଘରୋଇ ଗାଡି ଚାଲିପାରିବ ନାହିଁ । ବିବାହ କିମ୍ବା ଶବ ସଂସ୍କାର ସମୟରେ ୧୦ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି ଯେଉଁ ଅଂଚଳରେ ଗତ ୧୫ ଦିନ ଭିତରେ ଗୋଟିଏରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇନଥିବେ ସେହି ଜିଲ୍ଲାକୁ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଭୁକ୍ତ କରାଯିବ । ଏବଂ ଏହି ତାଲିକାରେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା କଟକଣାକୁ ଅଧିକ କୋହଳ କରାଯିବ । ଯେଉଁ ଜିଲ୍ଲାରେ ରିଭ୍ୟୁ ହେବା ଦିନଠାରୁ ୧୫ ଦିନରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବେ ଏବଂ ହୋମ୍ କ୍ୱାରେନଟାଇନରେ ଥିବା ସନ୍ଦିଗ୍ଧଙ୍କ ସଂଖ୍ୟା ୫ପ୍ରତିଶତ କମିଥିବ ସେହି ଜିଲ୍ଲାକୁ ତୃତୀୟ ପର୍ଯ୍ୟାୟ ତାଲିକାଭୁକ୍ତ ହେବେ । ଏହି ପର୍ଯ୍ୟାୟରେ କେତେକ କଟକଣା ସହ ଆନ୍ତରାଜ୍ୟ ବସ୍ ଚାଲିପାରିବ । ଏବଂ ଜରୁରୀ କାର୍ଯ୍ୟରେ ଘରୋଇ ବିମାନ ଯାତାୟତ କରିପାରିବ ।
Follow Us
/kanak/media/post_attachments/wp-content/uploads/2020/04/vlcsnap-2020-04-08-08h54m12s995.png)